ମୋରେନା : ଏକ ଗୁଜବ ଯେ କେତେ ବଡ଼ ବିପତ୍ତି ଆଣିପାରେ, ତାର ଏକ ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ। ଟ୍ରେନରେ ନିଆଁ ଲାଗିଯାଇଥିବା ନେଇ ବ୍ୟାପିଥିବା ଏକ ମିଥ୍ୟା ଗୁଜବ ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପ୍ରାଣ ବିକଳରେ କିଛି ଯାତ୍ରୀ ଚଳନ୍ତା ଟ୍ରେନର ଚେନ୍ ଟାଣି ରେଳ ଧାରଣାକୁ ଡେଇଁ ପଡ଼ିଥିଲେ। ହେଲେ ଦୁର୍ଭାଗ୍ୟବଶତଃ, ସେହି ସମୟରେ ପାର୍ଶ୍ୱବର୍ତ୍ତୀ ଟ୍ରାକରେ ଦ୍ରୁତଗତିରେ ଆସୁଥିବା ଆଉ ଏକ ଏକ୍ସପ୍ରେସ୍ ଟ୍ରେନ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଏହି ଭୟଙ୍କର ଅଘଟଣରେ ଜଣେ ଶିଶୁ ଏବଂ ତିନିଜଣ ମହିଳାଙ୍କ ସମେତ ମୋଟ ୪ ଜଣଙ୍କର ମୃତ୍ୟୁ ଘଟିଛି।
ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଖଜୁରାହୋ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସ୍ (୧୯୬୬୫) ଟ୍ରେନଟି ମଧ୍ୟପ୍ରଦେଶର ମୋରେନା ଜିଲ୍ଲା ଅନ୍ତର୍ଗତ ହେତମପୁର ରେଳ ଷ୍ଟେସନ ନିକଟ ଦେଇ ଗତି କରୁଥିଲା। ଏହି ସମୟରେ ଇଞ୍ଜିନ ପାଖରେ ଥିବା ଏକ ଜେନେରାଲ ବଗିରୁ ହଠାତ କିଛି ସ୍ପାର୍କିଂ (ଶର୍ଟ ସର୍କିଟ୍) କିମ୍ବା ଧୂଆଁ ବାହାରୁଥିବା ଦେଖାଯାଇଥିଲା। ଏହାକୁ ଦେଖି କେହି ଜଣେ ଟ୍ରେନରେ ନିଆଁ ଲାଗିଯାଇଥିବା ଜୋରରେ ଚିତ୍କାର କରି ଗୁଜବ ସୃଷ୍ଟି କରିଥିଲେ।
ନିଆଁ କଥା ଶୁଣି ବଗି ଭିତରେ ଥିବା ଯାତ୍ରୀମାନେ ଭୟଭୀତ ହୋଇ ଦଳାଚକଟା ପରିସ୍ଥିତି ସୃଷ୍ଟି କରିଥିଲେ। ଜୀବନ ବଞ୍ଚାଇବା ପାଇଁ ଜଣେ ଯାତ୍ରୀ ଜରୁରୀକାଳୀନ ଚେନ୍ ଟାଣି ଟ୍ରେନକୁ ଅଟକାଇ ଦେଇଥିଲେ। ଟ୍ରେନ୍ ଅଟକିବା ମାତ୍ରେ କିଛି ଯାତ୍ରୀ ବିନା ଚିନ୍ତା କରି କବାଟ ପଟୁ ପାର୍ଶ୍ୱବର୍ତ୍ତୀ ଟ୍ରାକକୁ ଡେଇଁପଡି ସେଠାରେ ଠିଆ ହୋଇଯାଇଥିଲେ।
କାଳ ସାଜିଲା ଆରପଟୁ ଆସୁଥିବା ଏକ୍ସପ୍ରେସ୍
ଯେଉଁ ସମୟରେ ଯାତ୍ରୀମାନେ ନିଆଁ ଭୟରେ ଅନ୍ୟ ଏକ ଟ୍ରାକରେ ଠିଆ ହୋଇଥିଲେ, ଠିକ୍ ସେହି ସମୟରେ ଓଲଟା ଦିଗରୁ ଦିଲ୍ଲୀ ପଟୁ ଫିରୋଜପୁର-ସିଓନୀ ପାତାଳକୋଟ୍ ଏକ୍ସପ୍ରେସ୍ (୨୦୪୨୪) ଅତି ଦ୍ରୁତ ଗତିରେ ସେହି ଟ୍ରାକ ଦେଇ ଆସୁଥିଲା। ଲାଇନରେ ଠିଆ ହୋଇଥିବା ଯାତ୍ରୀମାନେ ଏହି ଦ୍ରୁତଗାମୀ ଟ୍ରେନକୁ ଦେଖିପାରି ନଥିଲେ, ଫଳରେ ଟ୍ରେନଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ୪ ଜଣଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା
ଏହି ଦୁର୍ଘଟଣାରେ ବଞ୍ଚିଯାଇଥିବା ଆଫ୍ରିନଙ୍କ ସ୍ୱାମୀ ନଦୀମ ଖାନ୍ କହିଛନ୍ତି, "ଟ୍ରେନରେ ନିଆଁ ଲାଗିଥିବା ଗୁଜବ ପରେ ସମସ୍ତେ ତଳକୁ ଡେଇଁଥିଲେ। ମୋ ସ୍ତ୍ରୀ ଓ ପୁଅ ମଧ୍ୟ ଟ୍ରାକରେ ଠିଆ ହୋଇଥିଲେ। ମୁଁ ଅନ୍ୟ ପିଲାକୁ ଆଣିବାକୁ ଟ୍ରେନ ଭିତରକୁ ଯାଇଥିବା ବେଳେ ଆରପଟୁ ଟ୍ରେନ୍ ଆସି ମୋ ସ୍ତ୍ରୀ ଓ ପୁଅ ଉପରେ ମାଡ଼ିଗଲା।
ଉଦ୍ଧାର କାର୍ଯ୍ୟ ଓ ତଦନ୍ତ ନିର୍ଦ୍ଦେଶ
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ, ରେଳବାଇ ଅଧିକାରୀ, ଆରପିଏଫ୍ (RPF) ଏବଂ ଜିଆରପି (GRP) ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୋରେନା ଜିଲ୍ଲାପାଳ ଲୋକେଶ କୁମାର ଜାଙ୍ଗିଡ଼ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି। ଉତ୍ତର-ମଧ୍ୟ ରେଳବାଇର ଝାନ୍ସୀ ଡିଭିଜନର ଜନସମ୍ପର୍କ ଅଧିକାରୀ ମନୋଜ ସିଂହ ଜଣାଇଛନ୍ତି ଯେ, କେଉଁ ପରିସ୍ଥିତିରେ ଚେନ୍ ଟଣାଗଲା ଏବଂ କେଉଁଠୁ ଏହି ଗୁଜବ ସୃଷ୍ଟି ହେଲା, ସେ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।