କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପରାଜୟକୁ ସ୍ୱୀକାର କରିପାରୁନାହାଁନ୍ତି । ଭବାନୀପୁରରେ ନିର୍ବାଚନୀ ଅନିୟମିତତା ନେଇ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମମତାଙ୍କ ସହିତ ସାଂସଦ ଡେରେକ ଓ ବ୍ରାୟନ, ଡୋଲା ସେନା ଏବଂ କଲ୍ୟାଣ ବାନାର୍ଜୀ ଉପସ୍ଥିତ ଥିଲେ । ସେମାନେ ମମତାଙ୍କ ଯାଚିକାରେ ଦସ୍ତଖତ କରିଛନ୍ତି ।
ଭବାନୀପୁର ବିଧାନସଭା ଆସନରେ ହାଇଭୋଲଟେଜ୍ ଲଢ଼େଇ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପୂର୍ବତନ ବିରୋଧି ଦଳ ନେତା ତଥା ଏବେକାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପରସ୍ପର ସହିତ ପ୍ରତିଦ୍ୱନ୍ଦିତା କରିଥିଲେ । ମତଗଣନାରେ ମମତା ୧୬ରୁ ୧୭ ରାଉଣ୍ଡ ଯାଏ ଆଗରେ ଚାଲିଥିଲେ । ମାତ୍ର ଏହା ପରେ ଶୁଭେନ୍ଦୁ ଅଧିକାରୀ ଲମ୍ଫ ମାରିବା ଆରମ୍ଭ କରିଥିଲେ । ମତଗଣନା ଦିନ ଗଣନା କେନ୍ଦ୍ର ନିକଟରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଧି ହୋଇ କିଛି ସମୟ ପାଇଁ ଗଣନାକୁ ସ୍ଥଗିତ ରଖାଯାଇଥିଲା । ଶେଷରେ ମମତା ବାନାର୍ଜୀ ପରାସ୍ତ ହୋଇଥିଲେ । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ୧୫,୧୦୪ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇଥିଲେ । ଶୁଭେନ୍ଦୁଙ୍କୁ ୭୩, ୯୧୭ ଖଣ୍ଡ ଭୋଟ୍ ମିଳିଥିବାବେଳେ ମମତାଙ୍କୁ ୫୮, ୮୧୨ ଖଣ୍ଡ ଭୋଟ୍ ମିଳିଥିଲା । ତୃତୀୟ ସ୍ଥାନରେ ଥିବା ସିପିଏମ୍ ପ୍ରାର୍ଥୀ ଶ୍ରୀଜୀବ ବିଶ୍ୱାସ ୩୫୫୬ଟି ଭୋଟ୍ ପାଇଥିଲେ ।
୨୦୨୧ ମସିହାରେ ମଧ୍ୟ ସମାନ ଅଭିଯୋଗ କରିଥିଲେ ମମତା । ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଓ ମମତାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଯେଉଁଥିରେ ମମତା ଶୁଭେନ୍ଦୁଙ୍କ ଠାରୁ ହାରି ଯାଇଥିଲେ । ଆଉ ଏହି ନିର୍ବାଚନ ଫଳାଫଳରେ ମଧ୍ୟ ସେ ସନ୍ତୁଷ୍ଟ ନ ଥିଲେ । ମମତା ନନ୍ଦୀଗ୍ରାମ ନିର୍ବାଚନ ଫଳାଫଳକୁ ହାଇକୋର୍ଟରେ ଯାଚିକା ଦାଖଲ କରିଥିଲେ ।