ମୟୂରଭଞ୍ଜ: ବିଜେଡ଼ି ନେତାଙ୍କ ଦାଦାଗିରି । କ୍ଷମତାର ଅନ୍ଧ ଅହଂକାର ଆଗରେ ବଳି ପଡ଼ିଛି ମାନବିକତା। ଜନତା ସେବା କରିବାକୁ ପ୍ରତିଶ୍ରୁତି ଦେଇ ଭୋଟ୍ ହାତଉଥିବା ନେତା ମାତ୍ର ୨୦ ଟଙ୍କା ପାଇଁ ମାରୁଛନ୍ତି । ସେ ପୁଣି ଆଉ କେହି ନୁହେଁ ବରଂ ଖୋଦ ପୂର୍ବତନ ମନ୍ତ୍ରୀଙ୍କ ଭାଇ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ । ପୂର୍ବତନ ବିଜେଡି ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଭାଇ ତଥା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁବୋଧ ମାରାଣ୍ଡିଙ୍କ ବିରୁଦ୍ଧରେ ଆସିଛି ଏଭଳି ଅଭିଯୋଗ ।
ଅଭିଯୋଗ ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ଜଣେ ସ୍ଥାନୀୟ ଗରିବ ଶ୍ରମିକ ନୂନୁ ନାୟକ ହାଟକୁ ପରିବା କିଣିବାକୁ ଯାଇଥିଲେ । ଏହି ସମୟରେ ଚା’ ପିଇବା ପାଇଁ ସୁବୋଧ ମାରାଣ୍ଡିଙ୍କୁ ମାତ୍ର ୧୦ ରୁ ୨୦ ଟଙ୍କା ମାଗିଥିଲେ। ଏତିକିରେ ଉଗ୍ର ରୂପ ଧାରଣ କରି ସୁବୋଧ ମାରାଣ୍ଡି ତାଙ୍କୁ ସର୍ବସମ୍ମୁଖରେ ନିର୍ଦ୍ଦୟ ଭାବେ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରିଥିଲେ।
କ୍ଷମତା ଯିବା ପରେ ବି ଏଭଳି ସାମନ୍ତବାଦୀ ମାନସିକତାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସବୁଠାରୁ ଗମ୍ଭୀର ବିଷୟ ହେଉଛି, ପୀଡ଼ିତ ପରିବାର ବାଙ୍ଗିରିପୋଷି ଥାନାରେ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ପୋଲିସ ଏପର୍ଯ୍ୟନ୍ତ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରିନାହିଁ । ଓଲଟା ଅଭିଯୁକ୍ତମାନେ ଗାଁରେ ବୁଲି ମାମଲା ପ୍ରତ୍ୟାହାର କରିବାକୁ ନୁନୁ ନାୟକଙ୍କ ପରିବାର ଉପରେ ଚାପ ପକାଉଛନ୍ତି । ପ୍ରଶାସନ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି । ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି !