ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳି ମାଡ଼ । ରାତି ଅଧରେ ଦୁର୍ବୃତ୍ତମାନେ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଛନ୍ତି । ବର୍ତ୍ତମାନ ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତୀରେଖା ନନ୍ଦ ରହିଥିବାବେଳେ ତାଙ୍କ ସ୍ୱାମୀ ଅଶୋକ ନନ୍ଦ ବର୍ତ୍ତମାନ ଜିଲ୍ଲା ଯୁବ ବିଜେଡ଼ି ସଭାପତି ରହିଛି । ତାଙ୍କର ସିଙ୍ଗିଯୁବା ଗାଁରେ ଥିବା ବାସଭବନ ଉପରକୁ ଗୁଳିମାଡ଼ ହୋଇଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇନଥିବା ପ୍ରାଥମିକ ସୂଚନାରୁ ସ୍ପଷ୍ଟ ହୋଇଛି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତି ସାଢ଼େ ଏଗାରଟା ସମୟରେ ଦୁର୍ବୃତ୍ତ ଅତର୍କିତ ଗୁଳି ଚାଳନା କରିଥିଲେ । ସାରା ପରିବେଶ ଗୁଳି ମାଡ଼ରେ କମ୍ପି ଯାଇଥିଲା । ଭୟରେ କେହି ଘରୁ ବାହାରି ନ ଥିଲେ । ଘରେ ଥିବା କୌଣସି ଲୋକଙ୍କ ଦେହରେ ଗୁଳି ବାଜି ନଥିବା ଜଣାପଡ଼ିଛି । କେବଳ ଘର ଭିତରେ ଓ ବାହାରେ ରଖା ଦୁଇଟି କାରର କ୍ଷତିଗ୍ରସ୍ତ ହୋଇଛି । ଆଉ କିଛି ଗୁଳି ପଡ଼ୋଶୀଙ୍କ ଘର ଆଡ଼କୁ ମଧ୍ୟ କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୁଖ୍ୟ ପିନ୍ଧା ବ୍ୟକ୍ତି ବାଇକରେ ଆସି ଗୁଳି ଚାଳନା କରିଥିଲେ । ଏ ନେଇ ଅଶୋକ ନନ୍ଦ ପୋଲିସକୁ ଖବର ଦେଇଥିଲେ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଚିଥିଲା । ପ୍ରାୟ ୨୫ ରାଉଣ୍ଡ ଗୁଳିମାଡ଼ ହୋଇଛି l
ତେବେ କିଏ ଏବଂ କାହିଁକି ଗୁଳିମାଡ଼ କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ସେପଟେ ଅଶୋକ ନନ୍ଦ କହିଛନ୍ତି ତାଙ୍କର କାହା ସହିତ କୌଣସି ଶତ୍ରୁତା ମଧ୍ୟ ନାହିଁ । ତେବେ ଏହା ରାଜନୈତିକ ଶତ୍ରୁତା ନା ବ୍ୟକ୍ତିଗତ ସେ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।