କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରଠାରୁ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଖଣ୍ଡବିଖଣ୍ଡିତ ହୋଇ ସାରିଛି ଏଥିରେ ଆଉ ଦ୍ୱିମତ ନାହିଁ । ଏହି ବିଦ୍ରୋହ ମଧ୍ୟରେ ଆଜି ମମତା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ମମତା ଏକାକାଳୀନ ୮ ଜଣ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ।
ମମତା ବାନାର୍ଜୀ ଫିରହାଦ ହାକିମ, ଅରୂପ ବିଶ୍ୱାସ ଏବଂ ଅନ୍ୟ ଛଅ ଜଣ ନେତାଙ୍କୁ ତୃଣମୂଳ କଂଗ୍ରେସରୁ ବହିଷ୍କାର କରିଛନ୍ତି। ଅନ୍ୟ ନେତାଙ୍କ ମଧ୍ୟରେ ଅଛନ୍ତି ଜାଭେଦ ଅହମ୍ମଦ ଖାନ, ଅରୂପ ରାୟ, ରଥୀନ ଘୋଷ, ବିପ୍ଳବ ମିତ୍ର, ସବିନା ୟାସମିନ୍, ଅରୂପ ବିଶ୍ୱାସ ଏବଂ ସ୍ନେହାଶିଷ ଚକ୍ରବର୍ତ୍ତୀ ଅଛନ୍ତି।ପ୍ରଥମେ ବିଦ୍ରୋହୀ ନେତାମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଉଥିଲା ଏବଂ ଏହାର କିଛି ଘଣ୍ଟା ପରେ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଛି ।
ବହିଷ୍କୃତ ନେତାମାନେ ଗତକାଲି ମମତା ବାନାର୍ଜୀଙ୍କୁ ଦଳର ଅଧ୍ୟକ୍ଷ ପଦରୁ ହଟାଇବାକୁ ଯୋଜନା କରିଥିଲେ । ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ବିଦ୍ରୋହୀ ଗୋଷ୍ଠୀ ଟିଏମସି ପାଇଁ ଏକ ନୂତନ ନେତୃତ୍ୱ ଗଠନ ଘୋଷଣା କରିଥିଲେ। ସେମାନେ ମମତା ବାନାର୍ଜୀଙ୍କ ସ୍ଥାନରେ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ଦଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ । ବିଦ୍ରୋହୀ ଗୋଷ୍ଠୀ ଏକ ୩୦ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟ କମିଟି (NWC) ମଧ୍ୟ ଘୋଷଣା କରିଥିଲେ । ରିତବ୍ରତ ବାନାର୍ଜୀ ଘୋଷଣା କରିଥିଲେ ଯେ ଅରୂପ ରାୟଙ୍କୁ ସର୍ବସମ୍ମତିକ୍ରମେ ତୃଣମୂଳ କଂଗ୍ରେସର ନୂତନ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି। ପୂର୍ବତନ ମନ୍ତ୍ରୀ ଅରୂପ ବିଶ୍ୱାସ ଏବଂ ବିଧାୟକ ଫିରହାଦ ହାକିମଙ୍କୁ ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା।
କଂଗ୍ରେସ ଦଳ ଛାଡିବା ପରେ ମମତା ବାନାର୍ଜୀ ୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ପ୍ରତିଷ୍ଠା କରିଥିଲେ ଏବଂ ସେବେଠାରୁ ଏହାର ନେତା ଭାବରେ କାର୍ଯ୍ୟ କରୁଥିଲେ।