ଭୁବନେଶ୍ୱର: ଦୀର୍ଘଦିନର କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୁଜାତାଙ୍କୁ ବିଜେଡିରେ ସ୍ୱାଗତ କରାଯାଇଥିଲା। କିନ୍ତୁ ତାଙ୍କ ଯୋଗଦାନ ଯେତିକି ଚର୍ଚ୍ଚା ସୃଷ୍ଟି କରିଛି, ସେତିକି ଚର୍ଚ୍ଚାରେ ରହିଛି କିଛି ହେଭିୱେଟ୍ ନେତାଙ୍କ ଅନୁପସ୍ଥିତି।
ସୁଜାତାଙ୍କ ଯୋଗଦାନ ବେଳେ ଦଳର ବହୁ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ଥିଲେ। ହେଲେ ଦଳର ପ୍ରଭାବଶାଳୀ ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ) ଶଙ୍ଖ ଭବନରେ ନଜର ଆସିନଥିଲେ। କେବଳ ବବି ନୁହେଁ, ରାଜା ସ୍ୱାଇଁ, ଭୁପିନ୍ଦର ସିଂ ଏବଂ ବଦ୍ରି ପାତ୍ରଙ୍କ ଭଳି ବରିଷ୍ଠ ନେତାମାନେ ମଧ୍ୟ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲେ।
ଏହାପରେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା। ସୁଜାତାଙ୍କ ବିଜେଡି ଏଣ୍ଟ୍ରିକୁ ନେଇ ଦଳ ଭିତରେ କିଛି ଅସନ୍ତୋଷ ରହିଛି କି? କିଛି ନେତା ଏହି ନିଷ୍ପତ୍ତିକୁ ପସନ୍ଦ କରୁନାହାନ୍ତି କି? ଏଭଳି ପ୍ରଶ୍ନ ଏବେ ଦଳୀୟ କରିଡରରେ ଘୁରିବୁଲୁଛି।
ଅନ୍ୟପଟେ ସୁଜାତା କାର୍ତ୍ତିକେୟନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବିଜୁ ଜନତା ଦଳରେ ସାମିଲ ହୋଇ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ସେ ଖୁସି। ପ୍ରଭୁ ଜଗନ୍ନାଥଙ୍କ କୃପା ଓ ଦଳୀୟ କର୍ମୀଙ୍କ ଆଶୀର୍ବାଦରେ ନିଷ୍ଠା ଓ ସମର୍ପଣ ସହ ଲୋକଙ୍କ ପାଇଁ କାମ କରିବେ ବୋଲି ସେ କହିଛନ୍ତି।
ଏହି ଅବସରରେ ନବୀନ ପଟ୍ଟନାୟକ ମଧ୍ୟ ବଡ଼ ରାଜନୈତିକ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ସୁଜାତା ଜଣେ ସାଧାରଣ କର୍ମୀ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ଏଥିସହ ଆଗାମୀ ନିର୍ବାଚନ ତାଙ୍କ ନେତୃତ୍ୱରେ ହିଁ ବିଜେଡି ଲଢ଼ିବ ବୋଲି ସ୍ପଷ୍ଟ କରିଛନ୍ତି।
ଏବେ ବଡ଼ ପ୍ରଶ୍ନ ହେଉଛି, ସୁଜାତାଙ୍କ ଏଣ୍ଟ୍ରି ବିଜେଡିକୁ ନୂଆ ଶକ୍ତି ଦେବ ନା ଦଳ ଭିତରେ ଥିବା ମତଭେଦକୁ ଆହୁରି ଉଜାଗର କରିବ? ଆଗାମୀ ଦିନରେ ଏହାର ଉତ୍ତର ମିଳିବ।