ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ସାଂସଦ ବିପ୍ଳବ କୁମାର ଦ୍ଵିତୀୟ ବିବାହରେ ଆବଦ୍ଧ ହୋଇଛନ୍ତି। ସେ ଦକ୍ଷିଣ ଭାରତୀୟ ସିନେମା କନ୍ନଡର ଜଣାଶୁଣା ଅଭିନେତ୍ରୀ ତ୍ରିବେଣୀ ରାଓଙ୍କ ସହିତ ନୂଆ ଜୀବନ ଆରମ୍ଭ କରିଛନ୍ତି। ଗତ ଜୁନ୍ ୧୯ ତାରିଖରେ ଏହି ହାଇ-ପ୍ରୋଫାଇଲ୍ ବିବାହ ସମ୍ପନ୍ନ ହୋଇଥିବା ବେଳେ ବୁଧବାର ଅଗରତାଲାର ଏକ ପଞ୍ଚତାରକା ହୋଟେଲରେ ଏହାର ଗ୍ରାଣ୍ଡ ରିସେପ୍ସନ ପାର୍ଟିର ଆୟୋଜନ କରାଯାଇଥିଲା, ଯାହାର ଫଟୋ ଏବେ ଏକ୍ସରେ ଭାଇରାଲ ହେବାରେ ଲାଗିଛି।
୫୪ ବର୍ଷୀୟ ବିପ୍ଳବ ଦେବଙ୍କର ପ୍ରଥମ ବିବାହ ୨୦୦୧ ମସିହାରେ ନୀତି ଦେବଙ୍କ ସହିତ ହୋଇଥିଲା। ଦୀର୍ଘ ୨୫ ବର୍ଷ କାଳ ଏକାଠି ସଂସାର କରିବା ପରେ ଗତ ୨୦୨୫ ମସିହାରେ ସେମାନଙ୍କର ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ବିପ୍ଳବ ଦେବ ସମ୍ପୂର୍ଣ୍ଣ ଭାବେ ନିଜର ରାଜନୈତିକ କ୍ୟାରିୟର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। ତେବେ ପରିବାର ଲୋକ ଏବଂ ବିଶେଷ କରି ତାଙ୍କ ମାଆଙ୍କ ସ୍ୱତନ୍ତ୍ର ଅନୁରୋଧ ଓ ଜିଦ୍ ଯୋଗୁଁ ସେ ପୁଣିଥରେ ବିବାହ କରିବାକୁ ସମ୍ମତି ପ୍ରକାଶ କରିଥିଲେ।
କିଏ ଏହି ତ୍ରିବେଣୀ ରାଓ ?
ବିପ୍ଳବ ଦେବଙ୍କ ନୂଆ ଜୀବନସାଥୀ ତ୍ରିବେଣୀ ରାଓ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ଚେହେରା। ଗତ ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ 'ତଗାରୁ' ରେ ସେ 'କନଷ୍ଟେବଳ ସରୋଜା' ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ଏହା ବ୍ୟତୀତ ସେ 'ଯୁବରତ୍ନ', 'ବାବୁ ମାର୍ଲେ' ଏବଂ 'ରାଜା ମାର୍ତ୍ତଣ୍ଡ' ଭଳି ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି।
ଜିମ୍ ଟ୍ରେନରରୁ ସାଂସଦ ପର୍ଯ୍ୟନ୍ତ ଯାତ୍ରା
ରାଜନୀତି ଦୁନିଆରେ ପାଦ ଥାପିବା ପୂର୍ବରୁ ବିପ୍ଳବ ଦେବ ଦିଲ୍ଲୀରେ ଜଣେ ଜିମ୍ ଟ୍ରେନର ଭାବେ କାମ କରୁଥିଲେ। ଏହାପରେ ସେ ବିଜେପି ସହ ଜଡ଼ିତ ହୋଇ ୨୦୧୬ରେ ତ୍ରିପୁରାର ରାଜ୍ୟ ସଭାପତି ହେଲେ। ୨୦୧୮ ମସିହାରେ ସେ ତ୍ରିପୁରାରେ କମ୍ୟୁନିଷ୍ଟ ଶାସନର ଅନ୍ତ ଘଟାଇ ପ୍ରଥମ ଥର ପାଇଁ ବିଜେପି ସରକାର ଗଢ଼ିଲେ ଏବଂ ନିଜେ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ। ୨୦୨୨ରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ସେ ପ୍ରଥମେ ରାଜ୍ୟସଭା ଏବଂ ପରେ ୨୦୨୪ ଲୋକସଭା ନିର୍ବାଚନ ଜିତି ସାଂସଦ ଭାବେ ସଂସଦରେ ପ୍ରତିନିଧିତ୍ୱ କରୁଛନ୍ତି।