ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ର ରାଜନୀତି ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ। ଦଳରେ ନୂଆ ଯୋଗ ଦେଇଥିବା ସୁଜାତା ରାଉତ ଓ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ମଧ୍ୟରେ ଶଙ୍ଖ ଭବନରେ ହୋଇଥିବା ଏକ ବୈଠକକୁ ନେଇ ଏବେ ଦଳୀୟ ଓ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ଗତକାଲି ବିଜେଡିର ମିଶ୍ରଣ ପର୍ବରେ ସୁଜାତା ରାଉତ ଦଳରେ ସାମିଲ ହୋଇଥିଲେ। ତେବେ ସେହି କାର୍ଯ୍ୟକ୍ରମରେ ବବି ଦାସଙ୍କ ଅନୁପସ୍ଥିତି ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଥିଲା। ରାଜନୈତିକ ମହଲରେ ଏହାକୁ ନେଇ ନାନା ପ୍ରକାର କଳ୍ପନାଜଳ୍ପନା ଚାଲିଥିବା ବେଳେ କିଛି ସମୟ ପରେ ବବି ଦାସ ସୋସିଆଲ ମିଡିଆରେ ପୋଷ୍ଟ କରି ସୁଜାତାଙ୍କୁ ବିଜେଡି ପରିବାରକୁ ସ୍ୱାଗତ ଜଣାଇଥିଲେ। ଏହା ପରେ ତାଙ୍କ ଅନୁପସ୍ଥିତିକୁ ନେଇ ଚାଲିଥିବା ଚର୍ଚ୍ଚା କିଛିଟା ଥମିଥିଲା।
କିନ୍ତୁ ଏବେ ଶଙ୍ଖ ଭବନରେ ସୁଜାତା ରାଉତ ଓ ବବି ଦାସଙ୍କ ମଧ୍ୟରେ ହୋଇଥିବା ବୈଠକ ପୁଣି ରାଜନୈତିକ ମହଲରେ ଉତ୍ସୁକତା ବଢ଼ାଇଛି। ବୈଠକରେ କେଉଁ ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ତାହା ନେଇ ଦଳ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ତଥାପି ଦଳର ସାଂଗଠନିକ ସୁଦୃଢ଼ୀକରଣ, ଭବିଷ୍ୟତର ରଣନୀତି କିମ୍ବା ନୂଆ ଦାୟିତ୍ୱକୁ ନେଇ ଆଲୋଚନା ହୋଇଥାଇପାରେ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଯଦିଓ ଏହି ବୈଠକର ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଥାପି ଶଙ୍ଖ ଭବନରେ ହୋଇଥିବା ଏହି ସାକ୍ଷାତକାର ବିଜେଡିର ଆଭ୍ୟନ୍ତରୀଣ ରାଜନୀତିରେ ନୂଆ ସମୀକରଣର ସଙ୍କେତ ଦେଉଛି ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି। ଆଗାମୀ ଦିନରେ ଏହି ବୈଠକର ପ୍ରଭାବ ଦଳୀୟ ରଣନୀତିରେ କେତେ ଦୂର ପ୍ରତିଫଳିତ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।