ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚଳିତ ଟି-୨୦ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆଜି ହାମ୍ପସାୟାରର ରୋଜ୍ ବୋଲ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଇଂଲଣ୍ଡ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ପାଇଁ ଏହା ସମ୍ମାନ ରକ୍ଷାର ଲଢ଼େଇ। ଭାରତ ଲଗାତାର ୫ଟି ମ୍ୟାଚ୍ ହାରିବା ସହ ପଛକୁ ପଛ ୨ଟି ସିରିଜ୍ ହାରି ସାରିଛି ଟିମ୍ ଇଣ୍ଡିଆ । । ଏଭଳି ସ୍ଥିତିରେ ଷ୍ଟାର୍ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପ୍ଲେଇଂ-୧୧ରୁ ବାହାରେ ରଖାଯିବାକୁ ନେଇ ପ୍ରଶ୍ନ ଉଠୁଛି। ତେବେ ଆଜିର ମ୍ୟାଚ୍ରେ ସଞ୍ଜୁଙ୍କୁ ସୁଯୋଗ ମିଳିବ କି? ଯଦି ମିଳେ, କାହାକୁ ବେଞ୍ଚରେ ବସିବାକୁ ପଡ଼ିବ?
ଟପ୍-୩ରେ ପରିବର୍ତ୍ତନ ସମ୍ଭାବନା କମ୍
ଚଳିତ ସିରିଜ୍ରେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଡେବ୍ୟୁ କରିଛନ୍ତି। ଯଦିଓ ସେ ଗତ ୩ଟି ଇନିଂସରେ ବଡ଼ ସ୍କୋର କରିବାରେ ବିଫଳ ହୋଇଛନ୍ତି, ତଥାପି ତାଙ୍କ ପ୍ରତିଭା ଓ ଆଇପିଏଲ୍ ପ୍ରଦର୍ଶନକୁ ଦେଖି ମ୍ୟାନେଜମେଣ୍ଟ ତାଙ୍କୁ ଆହୁରି ସୁଯୋଗ ଦେଇପାରେ। ସେହିପରି ଆଇସିସି ଟି-୨୦ ମାନ୍ୟତାର ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଥିବା ଇଶାନ କିଷନ ଏବଂ ଅଭିଷେକ ଶର୍ମାଙ୍କୁ ଦଳରୁ ବାଦ୍ ଦେବା ଅସମ୍ଭବ। ତେଣୁ ଟପ୍-୩ ବ୍ୟାଟିଂ ଅର୍ଡରରେ କୌଣସି ବଦଳ ହେବା ଭଳି ଲାଗୁନାହିଁ।
କେମିତି ହେବ ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ?
ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରିବା ପାଇଁ ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କୁ ପ୍ଲେଇଂ-୧୧ରୁ ବାଦ୍ ଦେଇଥିଲା। ଟି-୨୦ ବିଶ୍ୱକପ୍ର 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ'ଙ୍କୁ ଦଳରୁ ବାହାର କରିବା ପରେ କୋଚ୍ ଓ ଅଧିନାୟକଙ୍କ ରଣନୀତି ଉପରେ ପ୍ରବଳ ସମାଲୋଚନା ହୋଇଥିଲା। ଏବେ ଯଦି ସଞ୍ଜୁଙ୍କୁ ଦଳକୁ ଫେରାଇ ଅଣାଯାଏ, ତେବେ କାହା ପଦବୀ ବିପଦରେ ପଡ଼ିବ?
ଚତୁର୍ଥ ନମ୍ବରରେ ଅଧିନାୟକ ଶ୍ରେୟସ ଆୟର ନିଜେ ବ୍ୟାଟିଂ କରୁଛନ୍ତି। ପଞ୍ଚମ ସ୍ଥାନ ପାଇଁ ଶିବମ ଦୁବେ କିମ୍ବା ଅକ୍ଷର ପଟେଲଙ୍କୁ ବ୍ୟବହାର କରାଯାଉଛି। ଉପ-ଅଧିନାୟକ ତିଲକ ବର୍ମା ମଧ୍ୟ ଚଳିତ ସିରିଜ୍ରେ ଆଉଟ୍ ଅଫ୍ ଫର୍ମ ଅଛନ୍ତି, ତାଙ୍କୁ ବାଦ୍ ଦେବାକୁ ଦାବି ହେଉଥିଲେ ବି ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା ରଖିପାରେ। ଏଭଳି ସ୍ଥିତିରେ ସଞ୍ଜୁ ସାମସନଙ୍କୁ ଖେଳାଇବା ପାଇଁ ଅକ୍ଷର ପଟେଲ କିମ୍ବା ୱାଶିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣକୁ ବାହାର କରାଯାଇପାରେ। ଅନ୍ୟପଟେ ସିରିଜ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଫ୍ଲପ୍ ହୋଇଥିବା ଅଲରାଉଣ୍ଡର ଶିବମ ଦୁବେଙ୍କୁ ମଧ୍ୟ ବେଞ୍ଚରେ ବସାଯାଇପାରେ।
ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧
ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଇଶାନ କିଷନ, ଶ୍ରେୟସ ଆୟର (ଅଧିନାୟକ), ସଞ୍ଜୁ ସାମସନ/ୱାଶିଂଟନ ସୁନ୍ଦର, ତିଲକ ବର୍ମା, ଶିବମ ଦୁବେ, ଅକ୍ଷର ପଟେଲ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂ।