ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଏବେ ଗୋଟିଏ ବଡ଼ ପ୍ରଶ୍ନ- ଟି-୨୦ ବିଶ୍ୱକପ୍ର ହିରୋ ସଞ୍ଜୁ ସାମସନଙ୍କୁ ହଠାତ୍ ପ୍ଲେଇଙ୍ଗ-୧୧ ଏବଂ ଆଗାମୀ ସିରିଜ୍ରୁ ବାଦ୍ ଦିଆଗଲା କାହିଁକି ? ସଞ୍ଜୁଙ୍କ ଭଳି ଜଣେ ବିସ୍ଫୋରକ ବ୍ୟାଟରଙ୍କୁ ଦଳରୁ ବାହାରେ ରଖିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର।
ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ସଞ୍ଜୁଙ୍କୁ ନେଇ ଚାଲିଥିବା ସମସ୍ତ ବିବାଦ ଉପରୁ ପରଦା ହଟାଇଛନ୍ତି। ସେ କହିଛନ୍ତି ଯେ ସଞ୍ଜୁଙ୍କୁ ଦଳରୁ ବାଦ୍ ଦେବା ପଛର କାରଣ କୌଣସି ବ୍ୟକ୍ତିଗତ ନୁହେଁ, ବରଂ ଏହା ଦଳର ଆବଶ୍ୟକତା। କୋଚ୍ ଗୌତମ ଗମ୍ଭୀର ସ୍ପଷ୍ଟ କରିଛନ୍ତି ଯେ, ସଞ୍ଜୁ ସାମସନଙ୍କୁ ଯେଉଁ ସ୍ପଷ୍ଟତା ଦରକାର ଥିଲା, ତାହା ମୋ ତରଫରୁ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଦିଆସରିଛି। ଏହା ସମ୍ପୂର୍ଣ୍ଣ ଭାବେ ଜଣେ ଖେଳାଳି ଏବଂ ମୁଖ୍ୟ କୋଚ୍ଙ୍କ ମଧ୍ୟରେ ହୋଇଥିବା ଏକ ବ୍ୟକ୍ତିଗତ ଆଲୋଚନା, ତେଣୁ ଏହି ଗୋପନୀୟ କଥାବାର୍ତ୍ତାକୁ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରାଯାଇପାରିବ ନାହିଁ। କିନ୍ତୁ ସଞ୍ଜୁଙ୍କୁ ନେଇ ଦଳର ଚିନ୍ତାଧାରା ଏକଦମ୍ ସ୍ପଷ୍ଟ ରହିଛି।
ଖରାପ ଫର୍ମ ସାଜିଲା ବାଧକ !
ବିଶ୍ୱକପ୍ରେ ସଞ୍ଜୁଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରି ଗମ୍ଭୀର କହିଛନ୍ତି, "ସଞ୍ଜୁ ଭାରତ ପାଇଁ ଯାହା କରିଛନ୍ତି ତାହା ପ୍ରଶଂସନୀୟ। କିନ୍ତୁ କିଛି ସମୟରେ ଖେଳାଳିଙ୍କ ସାମ୍ପ୍ରତିକ ଫର୍ମକୁ ମଧ୍ୟ ଦେଖିବାକୁ ପଡ଼ିଥାଏ। ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ସଞ୍ଜୁଙ୍କ ବ୍ୟାଟ୍ ଶାନ୍ତ ରହିଥିଲା, ଯେଉଁଥିପାଇଁ ଦଳକୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିଛି।"
ସଞ୍ଜୁଙ୍କ ପାଇଁ ବନ୍ଦ ହୋଇନି ଟିମ୍ ଇଣ୍ଡିଆର ଦ୍ୱାର
ସଞ୍ଜୁ ସାମସନଙ୍କ କ୍ରିକେଟ୍ କ୍ୟାରିୟର ଶେଷ ହୋଇଯାଇଛି ବୋଲି ଯେଉଁ ଆଶଙ୍କା କରାଯାଉଛି, ତାହାକୁ ସେ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ଗମ୍ଭୀର କହିଛନ୍ତି ଯେ ଏପରି କୌଣସି ବାଧ୍ୟତାମୂଳକ ନିୟମ ନାହିଁ ଯେ ସେ ଚଳିତ ସିରିଜ୍ କିମ୍ବା ଆଗାମୀ ମ୍ୟାଚ୍ ଗୁଡ଼ିକରେ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ। ଯେଉଁ କମ୍ବିନେସନ ଦଳ ପାଇଁ ସବୁଠାରୁ ଭଲ ବୋଲି ମନେହେବ, ଆମେ ସେହି ପ୍ଲେଇଙ୍ଗ-୧୧ ସହ ହିଁ ପଡ଼ିଆକୁ ଓହ୍ଲାଇବୁ। ମୁଁ ସବୁବେଳେ ବିଶ୍ୱାସ କରେ ଯେ ପ୍ରତ୍ୟେକ ଖେଳାଳିଙ୍କୁ ଦଳରେ ନିଜ ସ୍ଥାନ ପାଇଁ ଯୋଗ୍ୟତା ପ୍ରମାଣିତ କରିବାକୁ ପଡ଼ିବ।
ପରିସ୍ଥିତି ସହ ଖାପଖୁଆଇ ପାରିଲାନି ଦଳ
ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରେ ଦଳର ସୋଚନୀୟ ପରାଜୟକୁ ନେଇ କୋଚ୍ ଗମ୍ଭୀର ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ପିଚ୍ ଏବଂ ପରିସ୍ଥିତିକୁ ଆମେ ସଠିକ୍ ଭାବେ ଆକଳନ କରିପାରିଲୁ ନାହିଁ। ଆୟରଲ୍ୟାଣ୍ଡ ହେଉ କିମ୍ବା ଇଂଲଣ୍ଡ, ସେଠାକାର ପରିବେଶ ସହ ଆମେ ଖାପଖୁଆଇ ଚଳିବାରେ ବିଫଳ ହେଲୁ ଏବଂ ସେଥିପାଇଁ ଆମକୁ ଏଭଳି ଖରାପ ପରିଣାମ ଭୋଗିବାକୁ ପଡ଼ିଛି।