ଭୁବନେଶ୍ୱର: ଓଡ଼ିଶା ବିଧାନସଭା ବାହାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ଜଣେ ମଦ୍ୟପ ଚାଳକ ଚଳାଉଥିବା ବୋଲି ସନ୍ଦେହ କରାଯାଉଥିବା ଏକ କାର୍ ହଠାତ୍ ବିଧାନସଭା ନିକଟରେ ଥିବା ସୁରକ୍ଷା ବ୍ୟାରିକେଡ୍କୁ ଜୋରଦାର ଧକ୍କା ଦେଇଥିଲା। ଏହି ଘଟଣାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।
ସୂଚନା ଅନୁଯାୟୀ, କାର୍ଟି ସୁରକ୍ଷା ବଳୟ ଭେଦ କରି ସିଧା ବ୍ୟାରିକେଡ୍ରେ ପିଟି ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବ୍ୟାରିକେଡ୍ର ବ୍ୟାପକ କ୍ଷତି ହୋଇଥିଲା। ତେବେ ବ୍ୟାରିକେଡ୍ ଥିବାରୁ କାର୍ଟି ଆଗକୁ ଯାଇପାରିନଥିଲା ଏବଂ ଏକ ବଡ଼ ଅଘଟଣା ଟଳିଯାଇଥିଲା।
ଘଟଣା ଘଟିବା ମାତ୍ରେ ପୁଲିସ ଓ ଏସ୍ଟିଜି (Special Tactical Group) କମାଣ୍ଡୋ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ସୁରକ୍ଷାକର୍ମୀମାନେ ସମଗ୍ର ସ୍ଥାନକୁ ଘେରାଉ କରି କାର୍ଟିର ତନଖି କରିବା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାଞ୍ଚ କରିଥିଲେ।
ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରେ ଚାଳକ ମଦ୍ୟପ ଅବସ୍ଥାରେ ଥିବା ସନ୍ଦେହ କରାଯାଉଛି। ତେବେ ଏହାର ପ୍ରକୃତ କାରଣ ଓ ସମ୍ପୂର୍ଣ୍ଣ ଘଟଣାକ୍ରମ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ବିଧାନସଭା ପରି ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳରେ ଏଭଳି ଘଟଣା ଘଟିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଘଟଣାର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଥିବା ବେଳେ, ପୁଲିସ ସମସ୍ତ ଦିଗକୁ ନଜରରେ ରଖି ତଦନ୍ତ କରୁଛି।