କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ନର୍ମଦା ଆୱାର୍ଡ ହିତାଧିକାରୀ ରାଜ୍ୟ - ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ବାକି ଥିବା ଅର୍ଥ ପୈଠର ସମାଧାନ ପାଇଁ ଏକ ଐତିହାସିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶାହ ଓ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଉପସ୍ଥିତିରେ ଜୁଲାଇ ୭ ରେ ନୂଆଦିଲ୍ଲୀଠାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡଃ ମୋହନ ଯାଦବ ଏହି ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି। ଏହି ବୈଠକରେ କେନ୍ଦ୍ର ଏବଂ ଚାରୋଟି ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି ଚୁକ୍ତିନାମା ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ରାଜ୍ୟ ଦ୍ୱାରା ସରଦାର ସରୋବର ପ୍ରକଳ୍ପ ନିର୍ମାଣର ଖର୍ଚ୍ଚ ଭାଗବଣ୍ଟା ସହ ଜଡ଼ିତ ଦୀର୍ଘଦିନର ବିବାଦର ଅନ୍ତ ଘଟାଇବା ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ। ଏହା ଅଧୀନରେ ବାକି ଥିବା ଦେୟର ଚୂଡ଼ାନ୍ତ ସମାଧାନ ସ୍ୱରୂପ କରାଯିବାକୁ ଥିବା ପେମେଣ୍ଟକୁ 'ୱାନ-ଟାଇମ ସେଟଲମେଣ୍ଟ' ଭାବରେ ସମାଧାନ କରାଯାଇଛି।
ଦୀର୍ଘ ଦିନରୁ ବାକି ଥିବା ନର୍ମଦା ଆୱାର୍ଡ ପେମେଣ୍ଟ ବିବାଦ
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଦୀର୍ଘ ଦିନରୁ ନର୍ମଦା ଆୱାର୍ଡର ବାକି ପେମେଣ୍ଟକୁ ନେଇ ବିବାଦ ଚାଲିଥିଲା, ଯାହାର ଆଜି ସହମତିଭିତ୍ତିକ ସମାଧାନ ହୋଇପାରିଛି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜଳ ସୁରକ୍ଷାକୁ ମଜବୁତ କରିବା ଏବଂ ଜଳ କ୍ଷେତ୍ରରେ ସମବାୟ ସଂଘବାଦକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଐତିହାସିକ ପଦକ୍ଷେପ ନିଆଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ୱରେ ଅନେକ ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବାର ଫାଇଦା ଏହା ହୋଇଛି ଯେ ଆମ ମଧ୍ୟରେ ପରସ୍ପରକୁ ବୁଝିବାର କ୍ଷମତା ବୃଦ୍ଧି ପାଇଛି, ରାଜନୈତିକ ମୁଦ୍ଦା ହ୍ରାସ ପାଇଛି ଏବଂ ଦେଶର ଅନେକ ବିବାଦ ଏବେ ଦ୍ରୁତ ଗତିରେ ସମାଧାନ ହେଉଛି।
ସରକାରଙ୍କ ଗଠନମୂଳକ ସହଯୋଗକୁ ପ୍ରଶଂସା
କେନ୍ଦ୍ର ଗୃହମନ୍ତ୍ରୀ ଶାହ ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତଃ-ରାଜ୍ୟ ପ୍ରକଳ୍ପ ଉପରେ ସର୍ବସମ୍ମତି ପ୍ରକାଶ କରିବାରେ ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଗଠନମୂଳକ ସହଯୋଗକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା ବିଶେଷ କରି ମଧ୍ୟପ୍ରଦେଶ, ଗୁଜରାଟ ଏବଂ ରାଜସ୍ଥାନ ବହୁ ପରିମାଣରେ ଲାଭବାନ ହୋଇଛନ୍ତି। ବନ୍ଧ କାମ ସମ୍ପୂର୍ଣ୍ଣ ହେବା ଫଳରେ ଏହି ରାଜ୍ୟଗୁଡ଼ିକର ସବୁ ସ୍ଥାନରେ ପାଣି ଏବଂ ବିଦ୍ୟୁତ ପହଞ୍ଚିପାରିଛି।
ସେ କହିଛନ୍ତି ଯେ ରାଜସ୍ଥାନକୁ ମିଳିଥିବା ଲାଭ ଦେଖିବାକୁ ଛୋଟ ମନେ ହୋଇପାରେ, କିନ୍ତୁ ଯେଉଁ ଜମି ପର୍ଯ୍ୟନ୍ତ ନର୍ମଦାର ପାଣି ପହଞ୍ଚିଛି, ସେଠାରେ ଜମିର ମୂଲ୍ୟ ଏବଂ ଚାଷୀର ଭାଗ୍ୟ ଦୁଇଟିଯାକ ବଦଳି ଯାଇଛି। ସେ କହିଛନ୍ତି ଯେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ପାଟିଲଙ୍କ ନେତୃତ୍ୱରେ ଦେଶରେ ଚାଲିଥିବା ଜଳ ବିବାଦ କିମ୍ବା ଜଳ ବଣ୍ଟନ ସହ ଜଡ଼ିତ ବିବାଦଗୁଡ଼ିକ ଗୋଟିଏ ପରେ ଗୋଟିଏ ସମାଧାନ କରାଯାଉଛି।
ଜାତୀୟ କ୍ଷତିକୁ ଦୃଷ୍ଟିରେ ରଖି ସମସ୍ୟାର ସମାଧାନ କରନ୍ତୁ
ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ ବିଗତ ଦିନରେ ହରିୟାଣା ଏବଂ ରାଜସ୍ଥାନ ମଧ୍ୟରେ ଥିବା ଜଳ ବିବାଦର ସମାଧାନ କରାଯାଇଥିଲା। କିଶାଉ ବନ୍ଧ ପ୍ରକଳ୍ପ ପ୍ରସଙ୍ଗ ହେଉ କିମ୍ବା ରାଜସ୍ଥାନ-ହରିୟାଣା ମଧ୍ୟରେ ଜଳ ବିବାଦ ହେଉ କିମ୍ବା ଆଜିର ଏହି ଚୁକ୍ତିନାମା, ଏସବୁ ସମବାୟ ସଂଘବାଦର ସ୍ୱର୍ଣ୍ଣିମ ଉଦାହରଣ। ସେ କହିଛନ୍ତି ଯେ ଗୁଜରାଟ ହେଉ, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା କିମ୍ବା ମହାରାଷ୍ଟ୍ର, ପାଣି ଦେଶର ଜନସାଧାରଣ, ବିଶେଷ କରି ଚାଷୀଙ୍କ କାମରେ ହିଁ ଆସିଥାଏ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପାଣିର ବ୍ୟବହାର ଦେଶର ଯେକୌଣସି ପ୍ରାନ୍ତରେ ହେଲେ ମଧ୍ୟ ସେଥିରୁ ଉପକୃତ ହେଉଥିବା ବ୍ୟକ୍ତି ଜଣେ ଭାରତୀୟ ହିଁ ହେବେ। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଯେକୌଣସି ବିବାଦ ଯୋଗୁଁ ହେଉଥିବା ଜାତୀୟ କ୍ଷତିକୁ ଦୃଷ୍ଟିରେ ରଖି ତାହାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଉଚିତ। ସେ କହିଛନ୍ତି ଯେ ଯଦି ପଡ଼ୋଶୀ ରାଜ୍ୟ ସମୃଦ୍ଧ ହୁଏ, ତେବେ ତାର ଲାଭ ନିଜ ରାଜ୍ୟକୁ ମଧ୍ୟ ମିଳିଥାଏ।