ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିନ୍ତାଙ୍ଗ ରିପବ୍ଲିକ୍ ଅଫ୍ ଇଣ୍ଡୋନେସିଆ ଆଦିପୂର୍ଣ୍ଣ’ (Bintang Adipurna) ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବା ପରେ ସାରା ଦେଶରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିବା ବେଳେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଏହି ସମ୍ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ, କୂଟନୀତିକ ଦକ୍ଷତା ଏବଂ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ହାସଲ ପାଇଁ ତାଙ୍କର ନିରନ୍ତର ପ୍ରୟାସର ଆନ୍ତର୍ଜାତିକ ସ୍ୱୀକୃତି। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବିଶ୍ୱ ଦରବାରରେ ଭାରତର ବଢ଼ୁଥିବା ସମ୍ମାନ ଓ ପ୍ରଭାବର ପ୍ରତୀକ ବୋଲି ସେ ଉଲ୍ଲେଖ କରିଛନ୍ତି।
‘ବିନ୍ତାଙ୍ଗ ଆଦିପୂର୍ଣ୍ଣ’ ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ। ଦେଶର ଅଖଣ୍ଡତା, ବିକାଶ ଓ ଆନ୍ତର୍ଜାତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଅସାଧାରଣ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ।
ଏହି ସମ୍ମାନ ପାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରେ ଏହି ଗୌରବ ହାସଲ କରିଥିବା ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଏଭଳି ସମୟରେ ଏହି ସମ୍ମାନ ମିଳିଛି, ଯେତେବେଳେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି, ସାମୁଦ୍ରିକ ସୁରକ୍ଷା ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ଉଭୟ ଦେଶ କାମ କରୁଛନ୍ତି। ତେଣୁ ଏହି ସମ୍ମାନକୁ ଭାରତ-ଇଣ୍ଡୋନେସିଆ ବନ୍ଧୁତ୍ୱର ଏକ ନୂଆ ମାଇଲଖୁଣ୍ଟ ବୋଲି ମଧ୍ୟ ବିବେଚନା କରାଯାଉଛି।