ଭୁବନେଶ୍ୱର: ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ୱରରେ ପ୍ରାୟ ୧୮୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ବିପର୍ଯ୍ୟୟ ପରିଚାଳନା ଭବନ ନିର୍ମାଣ କରାଯିବ। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ କହିବାନୁସାରେ, ଏହି ଭବନ ନିର୍ମାଣ ଦାୟିତ୍ୱ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (OB&CC)କୁ ଦିଆଯାଇଛି। ପ୍ରକଳ୍ପକୁ ଦେଢ଼ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୦୨୬ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ସମ୍ଭାବନା ରହିଛି।
ଏହି ଅତ୍ୟାଧୁନିକ ଭବନରେ ବିପର୍ଯ୍ୟୟ ସମୟରେ ଯୋଜନା ପ୍ରସ୍ତୁତି, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜରୁରୀକାଳୀନ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ଆଧୁନିକ ସୁବିଧା ଉପଲବ୍ଧ ରହିବ। ଏହା ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବ।
ଏହାସହ ଭୁବନେଶ୍ୱରସ୍ଥିତ ରେଭେନ୍ୟୁ ଅଫିସର୍ସ ଟ୍ରେନିଂ ଇନଷ୍ଟିଟ୍ୟୁଟ୍ (ROTI) ପରିସରରେ ୯୦ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ଅଡିଟୋରିୟମ୍ ନିର୍ମାଣ କରାଯିବ। ଏଥିରେ ଅତ୍ୟାଧୁନିକ ବୈଠକ ବ୍ୟବସ୍ଥା, ପ୍ରଶିକ୍ଷଣ ସୁବିଧା ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯିବ।
ପର୍ଯ୍ୟଟନ ସହର ପୁରୀରେ ବଢ଼ୁଥିବା ଚାହିଦାକୁ ଦେଖି ସେଠାରେ ଥିବା ବର୍ତ୍ତମାନର ସ୍ପେଶାଲ୍ ସର୍କିଟ୍ ହାଉସ୍ ପରିସର ମଧ୍ୟରେ ଏକ ନୂଆ ସର୍କିଟ୍ ହାଉସ୍ ନିର୍ମାଣ କରାଯିବ। ସେହିପରି ଭୁବନେଶ୍ୱରରେ ମଧ୍ୟ ନୂଆ ସର୍କିଟ୍ ହାଉସ୍ ନିର୍ମାଣ ପାଇଁ ସରକାର ଯୋଜନା କରିଛନ୍ତି। ବର୍ତ୍ତମାନର ସର୍କିଟ୍ ହାଉସ୍ରେ ସ୍ଥାନ ଅଭାବ ଥିବାରୁ ଲୋକନିର୍ମାଣ ବିଭାଗ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କେବଳ ବିପର୍ଯ୍ୟୟ ପରିଚାଳନାକୁ ଆଧୁନିକ କରିବ ନୁହେଁ, ବରଂ ପ୍ରଶାସନିକ ଭିତ୍ତିଭୂମିର ବିକାଶ ସହ ସାଧାରଣ ଲୋକଙ୍କ ପାଇଁ ସେବାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।