ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାଯତ ଶୁକଦେବ ଜେନା ହାଇସ୍କୁଲର ପ୍ରଧାନଶିକ୍ଷକଙ୍କ ନାମରେ ଗୁରୁତର ଅଭିଯୋଗ ଆସିଛି । ପ୍ରଧାନ ଶିକ୍ଷକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହିତ ବିଭିନ୍ନ ସମୟରେ ଅସଦାଚରଣ କରୁଥିଲେ। ଅଭିଯୋଗ ପରେ ଭଣ୍ଡାରିପୋଖରୀ ପୋଲିସ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ।
ଜନୈକା ଶିକ୍ଷୟତ୍ରୀଙ୍କ ଅଭିଯୋଗ ଅନୁସାରେ, ପ୍ରଧାନଶିକ୍ଷକ ବାରମ୍ବାର ତାଙ୍କୁ ଅସଦାଚରଣ କରୁଥିଲା । ସେ ପ୍ରତିରୋଧ କରିବା ସତ୍ୱେ ସେ ନିଜ ହରକତରୁ ବାଦ ପଡ଼ୁନଥିଲେ । ଶେଷରେ ପ୍ରଧାନ ଶିକ୍ଷକଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଶିକ୍ଷୟତ୍ରୀ ଜଣକ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସମେତ ଥାନାରେ ଗତ ୩୦ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ୫ଦିନ ପରେ ଆଜି ପୋଲିସ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ବେଳେ ବିଦ୍ୟାଳୟ ପରିଶେଷରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ୨୦୦ରୁ ଅଧିକ ମହିଳା ସେଠାରେ ପହଞ୍ଚି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ନାରାବାଜି କରିଥିଲେ ।
ତେବେ ପୋଲିସ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଛି । ପଚରାଉଚରା ପରେ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।