ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ ସରକାର ଆକ୍ସନ୍ ମୋଡ୍କୁ ଆସିଛନ୍ତି। ଲୋକଙ୍କ ସୁରକ୍ଷା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ନଗର ଉନ୍ନୟନ ବିଭାଗ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ବର୍ଷା ସମୟରେ ଦୁର୍ଘଟଣା ଏଡ଼ାଇବା ପାଇଁ ବଡ଼ ବଡ଼ ଡ୍ରେନ୍ କଡ଼ରେ ସୁରକ୍ଷା ବ୍ୟାରିକେଡ୍ ଲଗାଯିବ। ଏହାସହ ସହରାଞ୍ଚଳର ବିଭିନ୍ନ ନାଳର ମରାମତି, ପଙ୍କ ଉଦ୍ଧାର ଓ ସଫେଇ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ବର୍ଷା ଜଳ ନିଷ୍କାସନରେ ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ବିଶେଷକରି ଟ୍ୱିନ୍ ସିଟି ଭୁବନେଶ୍ୱର-କଟକ ଏବଂ ପୁରୀ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ ପ୍ରସ୍ତୁତ କରାଯାଇଛି। ଯେଉଁ ସ୍ଥାନରେ ବର୍ଷା ପାଣି ଜମିବାର ସମ୍ଭାବନା ରହିଛି, ସେଠାରେ ନଗର ନିକାୟ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗର ଟିମ୍ ମିଳିତ ଭାବେ ଜଳ ନିଷ୍କାସନ କାର୍ଯ୍ୟ କରିବେ। ଏହା ଫଳରେ ଜଳବନ୍ଦୀ ସମସ୍ୟାର ଶୀଘ୍ର ସମାଧାନ ହେବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହେବ ନାହିଁ ବୋଲି ବିଭାଗର ଆଶା।
ଅନ୍ୟପକ୍ଷରେ, ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ସମସ୍ତ ସହରାଞ୍ଚଳ ନିକାୟ ଓ ସମ୍ପୃକ୍ତ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସ୍ଥିତି ଉପରେ କ୍ରମାଗତ ନଜର ରଖାଯିବ ଏବଂ କୌଣସି ଜରୁରୀ ପରିସ୍ଥିତି ଉପୁଜିଲେ ତୁରନ୍ତ ଉଦ୍ଧାର ଓ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ।
ଲଗାଣ ବର୍ଷା ମଧ୍ୟରେ ଜନସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାରଙ୍କ ଏହି ପଦକ୍ଷେପ ସହରବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି।