ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ଚାଲିଥିବା ବେଳେ ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ପ୍ରସିଦ୍ଧ ଅଲାରନାଥ ମନ୍ଦିରରେ ଆଜି ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ବମପାଟି ଅଣବସରର ଅଷ୍ଟମ ଦିନରେ ମନ୍ଦିରକୁ ଯାଇ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବା ସହ ପାରମ୍ପରିକ ରୀତିନୀତି ସମ୍ପର୍କରେ ଅବଗତ ହୋଇଥିଲେ।
ଅପରାହ୍ନ ପ୍ରାୟ ୧୨ଟା ସମୟରେ ରାଜ୍ୟପାଳ ମନ୍ଦିରରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। ପରେ ସେ ପ୍ରଭୁ ଅଲାରନାଥଙ୍କ ନିକଟରେ ଦେଶ ଓ ରାଜ୍ୟର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରି ପୂଜାର୍ଚ୍ଚନା କରିଥିଲେ।
ଅଲାରନାଥଙ୍କ ଦର୍ଶନ ପରେ ରାଜ୍ୟପାଳ ମା' ମହାଲକ୍ଷ୍ମୀ ଏବଂ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମଧ୍ୟ ଦର୍ଶନ କରିଥିଲେ। ଏହି ଅବସରରେ ମନ୍ଦିରର ସେବାୟତମାନେ ତାଙ୍କୁ ଅଣବସର ସମୟରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ ରହିବାର ପରମ୍ପରା ଏବଂ ସେହି ସମୟରେ ଅଲାରନାଥଙ୍କ ଦର୍ଶନର ଧାର୍ମିକ ମହତ୍ତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ପରମ୍ପରା ଅନୁଯାୟୀ, ସ୍ନାନ ପୂର୍ଣ୍ଣିମା ପରେ ମହାପ୍ରଭୁ ଅଣବସରରେ ରହୁଥିବାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହେ। ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କୁ ଶ୍ରୀଜଗନ୍ନାଥଙ୍କ ପ୍ରତିରୂପ ଭାବେ ଦର୍ଶନ କରି ପୁଣ୍ୟଲାଭ କରନ୍ତି। ସେଥିପାଇଁ ଅଣବସର ଦିନଗୁଡ଼ିକରେ ଅଲାରନାଥ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ।