ଝାରସୁଗୁଡ଼ା: ଲଗାଣ ବର୍ଷା ପ୍ରଭାବରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଇଲିଘୁଘର ଜଳପ୍ରପାତ ଭୟଙ୍କର ରୂପ ଧାରଣ କରିଛି । ଜଳପ୍ରପାତରେ ପାଣିର ସ୍ରୋତ ଅସ୍ୱାଭାବିକ ଭାବେ ବୃଦ୍ଧି । ଜଳ ପ୍ରପାତ ନିକଟରେ ଥିବା ପ୍ରସିଦ୍ଧ ଶୈବ ପୀଠ ଭିତରେ ବର୍ଷା ପାଣି ପ୍ରବେଶ କରିଛି ।
ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଫଳରେ କୋଇଲିଘୁଘର ଜଳ ପ୍ରପାତ ପାଣି ବୃଦ୍ଧି ପାଇଛି । ଜଳସବୁଠାରୁ ଚିନ୍ତାର ବିଷୟ ହେଉଛି ଜଳପ୍ରପାତର ନିକଟସ୍ଥ ପ୍ରସିଦ୍ଧ ଶିବ ମନ୍ଦିର ପରିସର ଦେଇ ପ୍ରବାହିତ ହେଉଛି। ମନ୍ଦିର ଚତୁର୍ଦ୍ଦିଗରେ ପାଣି ଭରି ରହିଥିବାରୁ ଶ୍ରଦ୍ଧାଳୁ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। କୋଇଲିଘୁଘରରୁ ବାହାରୁଥିବା ଏହି ଜଳଧାରା ଅହିଡା ନାଳ ଦେଇ ହୀରାକୁଦ ଜଳଭଣ୍ଡାରରେ ମିଶୁଥିବାରୁ ବର୍ଷା ଜାରି ରହିଲେ ନାଳ କୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ବିଶେଷକରି ଛୁଇଁଖାଁଚ, ଦେବଦର, ତେଲେନ, କୁରେମାଲ, ସମରବଗା ଓ କୁଡାବଗା ଗ୍ରାମର ଲୋକେ ସମ୍ଭାବ୍ୟ ବନ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି । କେବଳ ଜନବସତି ନୁହେଁ, ଅହିଡା ନାଲା ସଂଲଗ୍ନ ବିସ୍ତୀର୍ଣ୍ଣ ଚାଷଜମି ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ଦେଖାଦେଇଛି ।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ନଦୀ ଓ ନାଳ ନିକଟକୁ ଅନାବଶ୍ୟକ ଯିବାକୁ ବାରଣ କରାଯାଇଥିବାବେଳେ ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖାଯାଇଛି। ଲଗାଣ ବର୍ଷା ଜାରି ରହିଲେ ଆଗାମୀ ଦିନରେ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ ବୋଲି ସ୍ଥାନୀୟମାନେ ଆଶଙ୍କା ପ୍ରକାଶ କରିଛନ୍ତି।