ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରୁଥିବା ଅମାନିଆ ଇସ୍କନ ମାମଲାରେ ଦେଶର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଗଜପତି ମହାରାଜ ଚିଠି ଲେଖି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଛନ୍ତି ।
ବାରମ୍ବାର ଅନୁରୋଧ ଏବଂ ତାଗିଦ ସତ୍ୱେ ଇସ୍କନ ତାର କାର୍ୟ୍ୟକଳାପରୁ ବିରତ ହେଉନାହିଁ । ଦେଶ ବାହାରେ ଅଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଏବଂ ରଥଯାତ୍ରା ଆୟୋଜନ କରୁଛି । ଗଜପତିଙ୍କ ସୂଚନା ଅନୁସାରେ, ଇସ୍କନ ଚଳିତ ବର୍ଷ ମେ ପହିଲା ପରଠାରୁ ଇଂଲଣ୍ଡ, କାନାଡ଼ା, ଦକ୍ଷିଣ ଆଫ୍ରିକା, ଆମେରିକା, ସୁଇଜରଲ୍ୟାଣ୍ଡ ଏବଂ ଜର୍ମାନୀ ସମେତ ୨୮ଟି ସ୍ଥାନରେ ତିଥି ବିହୀନ ସ୍ନାନ ଯାତ୍ରା ଆୟୋଜନ କରିଛି । ସେହିପରି ସେହି ୨୮ଟି ସ୍ଥାନରେ ମେ ଏବଂ ଜୁନ ମାସରେ ତିଥି ବିହୀନ ରଥ ଯାତ୍ରା ମଧ୍ୟ ପାଳନ କରାଯାଇଛି । ଯାହା ଦ୍ୱାରା ଜଗନ୍ନାଥ ପରମ୍ପରାର ପବିତ୍ରତା କ୍ଷୁର୍ଣ୍ଣ ହେଉଛି । ଯେଉଁଥିପାଇଁ ଗଜପତି ମହାରାଜ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ପୂର୍ବରୁ ଅନେକ ଥର ଇସ୍କନ ସହିତ ଆଲୋଚନା ମଧ୍ୟ ହୋଇଛି । କିନ୍ତୁ ଇସ୍କନ କୌଣସି ନୀତି ନିୟମ ମାନୁ ନାହିଁ ।
ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଗଜପତି ଗତବର୍ଷ ଅକ୍ଟୋବର ୨୪ ତାରିଖରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଚଳିତ ବର୍ଷ ଏପ୍ରିଲ ୨୦ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ଗଜପତି ପୁନର୍ବାର ଗତ ଜୁଲାଇ ୪ ତାରିଖରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ହସ୍ତକ୍ଷେପ ଲୋଡ଼ିଛନ୍ତି । ଏଥିପାଇଁ ଆଲୋଚନା କରିବାକୁ ସମୟ ଲୋଡ଼ିଛନ୍ତି ଗଜପତି ମହାରାଜ ।