ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ପିଇବା ପାଣିର ସୁଚାରୁ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ସୋମବାର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ପୁରୀ ଗସ୍ତ କରି ଚାଲିଥିବା ୪୨ ଏମଏଲଡି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟର କାର୍ଯ୍ୟର ସମୀକ୍ଷା କରିଥିଲେ।
ପରିଦର୍ଶନ ସମୟରେ ମନ୍ତ୍ରୀ ପ୍ଲାଣ୍ଟର ବିଭିନ୍ନ ୟୁନିଟ୍, ଫିଲ୍ଟରେସନ୍ ବ୍ୟବସ୍ଥା ଓ ଯନ୍ତ୍ରପାତି ସ୍ଥାପନ କାମ ଯାଞ୍ଚ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଶେଷ କରିବା ସହ ଗୁଣାତ୍ମକ ମାନ ବଜାୟ ରଖିବାକୁ ସେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟରେ କୌଣସି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ।
ସମୀକ୍ଷା ବୈଠକରେ ୱାଟକୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଓ ବରିଷ୍ଠ ଅଧିକାରୀମାନେ ରଥଯାତ୍ରା ସମୟରେ ପିଇବା ପାଣି ଯୋଗାଣ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।
ଶ୍ରୀଜଗନ୍ନାଥ ମନ୍ଦିର ପରିସର, ଭକ୍ତଙ୍କ ରହଣି ସ୍ଥଳ, ଅସ୍ଥାୟୀ ଶିବିର ଓ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଷ୍ଟାଣ୍ଡବାଇ ପମ୍ପ, ବିଦ୍ୟୁତ ବ୍ୟାକଅପ୍, ଜରୁରୀକାଳୀନ ଟିମ୍, ମୋବାଇଲ୍ ପାଣି ଟ୍ୟାଙ୍କର ଓ ଅସ୍ଥାୟୀ ଜଳ ବଣ୍ଟନ କେନ୍ଦ୍ର ପ୍ରସ୍ତୁତ ରହିଛି। ଏହାସହ ରଥଯାତ୍ରା ସମୟରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ ୨୪×୭ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରିବ।
ମନ୍ତ୍ରୀ କହିଛନ୍ତି, ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଆସୁଥିବାରୁ ସମସ୍ତଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଏଥିପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ୱାଟକୋ ପୂର୍ଣ୍ଣ ପ୍ରସ୍ତୁତ ରହିଛି।