ସମ୍ବଲପୁର: ଲଗାଣ ବର୍ଷା ପ୍ରଭାବରେ ଓଡ଼ିଶାର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିବାବେଳେ ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ବ୍ୟାପକ ପରିମାଣରେ ଜଳ ପ୍ରବେଶ କରୁଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୯ ଜୁଲାଇରେ ହୀରାକୁଦ ବନ୍ଧର ପ୍ରଥମ ଗେଟ୍ ଖୋଲାଯିବ। ଏହା ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ଛଡ଼ାଯିବ। ଦିନ ୧୧ଟା ରେ ହୀରାକୁଦ ବନ୍ଧର ପ୍ରଥମ ଗେଟ୍ ଖୋଲାଯିବା ନେଇ ସୂଚନା ମିଳିଛି।
ଗତ କିଛି ଦିନ ଧରି ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ବିପୁଳ ପରିମାଣର ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଜଳସ୍ତର ବୃଦ୍ଧିକୁ ନଜରରେ ରଖି ବନ୍ଧ କର୍ତ୍ତୃପକ୍ଷ ପରିସ୍ଥିତିର ସମୀକ୍ଷା କରିବା ପରେ ପ୍ରଥମ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।
ଗେଟ୍ ଖୋଲାଯିବା ପରେ ମହାନଦୀର ତଳମୁଣ୍ଡ ଅଞ୍ଚଳରେ ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ନଦୀକୂଳବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ଜଳ ସମ୍ପଦ ବିଭାଗ ମଧ୍ୟ ତଳିଆ ଅଞ୍ଚଳର ସ୍ଥିତି ଉପରେ କଡ଼ା ନଜର ରଖିଛି।
ପ୍ରତିବର୍ଷ ବର୍ଷା ଋତୁରେ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଏ। ଚଳିତ ବର୍ଷ ମଧ୍ୟ ବର୍ଷାର ତୀବ୍ରତାକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ଭାବେ ବନ୍ୟାଜଳ ଛାଡ଼ିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।