ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀର ପହଲଗାମରେ ଧର୍ମ ନାମରେ ହୋଇଥିବା ଆତଙ୍କାବାଦୀ ଆକ୍ରମଣର ଷଡ଼ଯନ୍ତ୍ର ପାକିସ୍ତାନରେ ହୋଇଥିଲା । ଏହାର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୌଏବାର ମୁଖ୍ୟ ହାଫିଜ୍ ସଈଦ । ସୋମବାର ଜାତୀୟ ତଦନ୍ତ ସଂସ୍ଥା ଏନଆଇଏ ଦାଖଲ କରିଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୌଏବା ଏବଂ ହାଫିଜ ସୟିଦ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ।
ଏନଆଇଏ ଅନୁସାରେ ହାଫିଜ ସଈଦ ଏବଂ ଏଲ୍ଇଟିର ପ୍ରତିନଧିଭାବେ କାମ କରୁଥିବା ଦ ରେଜିଷ୍ଟାଣ୍ଟ ଫ୍ରଣ୍ଟ ଉପରେ ମଧ୍ୟ ଅଭିଯୋଗ ଲଗାଯାଇଛି । ଏଥିରେ ପାକିସ୍ତାନରେ ହୋଇଥିବା ଷଡ଼ଯନ୍ତ୍ର ଓ ଆକ୍ରମଣରେ ହାଫିଜ୍ ସଇଦର ସିଧାସଳଖ ଭୂମିକା ରହିଛି । ହାଫିଜ ସଈଦ ଉପରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍), ୨୦୨୩ ଏବଂ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA), ୧୯୬୭ର ଅନେକ ଧାରା ଲାଗୁ କରାଯାଇଛି। ଏହି ଅଭିଯୋଗଗୁଡ଼ିକ ଅତ୍ୟନ୍ତ ଗମ୍ଭୀର, ଭାରତ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ସୀମାପାର ଷଡ଼ଯନ୍ତ୍ର ମାଧ୍ୟମରେ ଏକ ରକ୍ତାକ୍ତ ଆକ୍ରମଣ ଯୋଜନା କରିବା ସମ୍ପୃକ୍ତ ରହିଛି । ପୂର୍ବରୁ ଦାଖଲ ହୋଇଥିବା ୧,୫୯୭ ପୃଷ୍ଠାର ମୁଖ୍ୟ ଚାର୍ଜସିଟ୍ର ଏହା ଏକ ଏକ ଅଂଶ। ସେହିପରି ଟିଆରଏଫ ଉପରେ ପହଲଗାମ୍ ଆକ୍ରମଣର ଆୟୋଜନ, ସୁବିଧା ଏବଂ କାର୍ଯ୍ୟକାରୀ କରିବା ପାଇଁ ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ ଅଛି।
ଏନ୍ଆଇଏ ସ୍ପଷ୍ଟ କରିଛି ଯେ ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଏହାର ପୂର୍ବ ତଦନ୍ତକୁ ଆହୁରି ମଜବୁତ କରୁଛି। ଗତ ଡିସେମ୍ବରରେ, ଏଜେନ୍ସି ପାକିସ୍ତାନ-ଭିତ୍ତିକ ହ୍ୟାଣ୍ଡଲର ସାଜିଦ ଜଟ୍ଟଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା। ଏହା ସହିତ, ଚାର୍ଜସିଟ୍ରେ ଜୁଲାଇ ୨୦୨୫ରେ 'ଅପରେସନ୍ ମହାଦେବ' ସମୟରେ ସୁରକ୍ଷା ବାହିନୀ ଦ୍ୱାରା ନିହତ ତିନି ଜଣ ଆତଙ୍କବାଦୀଙ୍କ ନାମ ଉଲ୍ଲେଖ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜ ଫ୍ରେମ୍ କରାଯାଇଛି।
ଉଲ୍ଲେଖନୀୟ ଯେ ୨୨ ଏପ୍ରିଲ ୨୦୨୫ରେ ପହଲଗାମରେ ଧର୍ମ ପଚାରି ପଚାରି ପର୍ଯ୍ୟଟକଙ୍କୁ ଟାର୍ଦେଟ୍ କରାଯାଇଥିଲା । ମାତ୍ର କେଇ ମିନିଟ୍ ମଧ୍ୟରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା। ଯାହାର ଜବାବରେ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ୍ ସିନ୍ଦୂର’ ।