ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷାରେ ରାଜ୍ୟବାସୀ ଏବେ ଅସ୍ତବ୍ୟସ୍ତ । କିନ୍ତୁ ରାଜ୍ୟରେ ଏବେ ବଡ଼ ବନ୍ୟାର ଆଶଙ୍କା ନ ଥିବାବେଳେ କେବଳ ବୈତରଣୀରେ ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ଚାଲୁଛି । ତେଣୁ ଜଳ ସମ୍ପଦ ବିଭାଗ ବୈତରଣୀରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା କରିଛି ।
ସୋମବାର ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସାମ୍ବାଦିକ ସମ୍ମିଳନୀରେ ବର୍ଷା ଏବଂ ବନ୍ୟାକୁ ନେଇ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି । ଆଖୁଆପଦା ନିକଟରେ ବିପଦ ସଙ୍କେତ ନିକଟରେ ଜଳ ପ୍ରବାହିତ ହେଉଛି । ଆଖୁଆପଦାରେ ବିପଦ ସଙ୍କେତ ୧୮.୩୩ ମିଟର୍ ରହିଥିବାବେଳେ ବର୍ତ୍ତମାନ ଜଳ ସ୍ତର ୧୮ ମିଟରରେ ଛୁଇଁଛି । ଆଜି ଅପରାହ୍ନ ୪ଟା ସୁଦ୍ଧା ଜଳ ସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ସମ୍ଭାବନା ରହିଛି । ସେଥିପାଇଁ ବୈତରଣୀର ତଳିଆ ଅଞ୍ଚଳରେ ଛୋଟ ଧରଣର ବନ୍ୟା ଆସିବାର ରହିଛି । ମାତ୍ର ଏହି ବନ୍ୟା ସ୍ଥିତି ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ହୋଇଯିବ ।
ସେପଟେ ହୀରାକୁଦରେ ବର୍ତ୍ତମାନ ବିପଦ ଆଶଙ୍କା ନାହିଁ । ହୀରାକୁଦରେ ବିପଦ ସଙ୍କେତ ୬୩୦ ମିଟର୍ ଥିବାବେଳେ ବର୍ତ୍ତମାନ ୬୦୩ ମିଟରରେ ଜଳ ସ୍ତର ରହିଛି । ହୀରାକୁଦ ଜଳ ଭଣ୍ଡାରରେ ମାତ୍ର ୨୦ ପ୍ରତିଶତ ଜଳ ସଂରକ୍ଷଣ ହୋଇଛି । ଜଳ ୬୦୭ ମିଟର୍ ଛୁଇଁଲେ ଗେଟ୍ ଖୋଲାଯିବା ଉପର ବିଚାର କରାଯିବ । ତେବେ ମହାନଦୀର ଅବବାହିକାରେ ଅନ୍ୟାନ୍ୟ ଜଳ ଭଣ୍ଡାର ମଧ୍ୟ ଖାଲି ରହିଥିବାରୁ ହୀରାକୁଦରେ କୌଣସି ବନ୍ୟା ଆଶଙ୍କା ନ ଥିବା ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବୋଚ୍ଚ ବୃଷ୍ଟିପାତ ରେକର୍ଡ କରାଯାଇଥିବାବେଳେ ପୁରୀରେ ସର୍ବନିମ୍ନ ବୃଷ୍ଟିପାତ ରେକର୍ଡ ହୋଇଛି । ସୁବର୍ଣ୍ଣପୁରରେ ସର୍ବାଧିକ ୨୨୪ ମିଲି ଲିଟର ବର୍ଷା ହୋଇଥିବାବେଳେ ବୌଦ୍ଧ ୧୭୪ ମି.ଲି, ବରଗଡ଼ରେ ୧୧୬ ମି.ଲି, କେନ୍ଦୁଝରରେ ୧୧୬ ମି.ଲି, ବଲାଙ୍ଗିର ୧୧୨ ମି.ଲି ଏବଂ ନୂଆପଡ଼ାରେ୧୦୨ ମି.ଲି ବର୍ଷ ରେକର୍ଡ ହୋଇଛି । ସେହିପରି ପୁରୀରେ ୩ ମି.ଲି. ଗଞ୍ଜାମରେ ୪ ମି.ଲି ଏବଂ ଗଜପତିରେ ୩ ମି.ଲି ବର୍ଷ ହୋଇଛି ।