ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିଶନରେଟର ପୋଲିସର ଭୁବନେଶ୍ୱର ଡେପୁଟି କମିଶନର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି । ୨୦୧୩ ବ୍ୟାଚର ଆଇପିଏଏସ୍ ମୀନା ବ୍ୟକ୍ତିଗତ କାରଣ ପାଇଁ ସେ ଚାକିରୀରୁ ଇସ୍ତାଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟ ଗୃହ ବିଭାଗକୁ ୨୫ ଦିନ ପୂର୍ବରୁ ସେ ଇସ୍ତଫା ପତ୍ର ପଠାଇଥିବାବେଲେ ତାଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଗୃହୀତ ହୋଇନଥିବା ଜଣାପଡ଼ିଛି ।
ଆଇପିଏସ୍ ଜଗମୋହନ ମୀନା ଜଣେ ଦକ୍ଷ ଆଇପିଏସ୍ ଅଧିକାରୀଭାବେ ବେଶ ପରିଚିତ । ଏହା ପୂର୍ବରୁ ସେ କଟକ ଡେପୁଟି କମିଶନର ପୋଲିସଭାବେ କାମ କରିଛନ୍ତି । ଏହା ସହିତ ଅନୁଗୋଳ ଓ ଗଞ୍ଜାମ ଜିଲ୍ଲାର ଆରକ୍ଷୀ ଅଧିକ୍ଷକଭାବେ ସଫଳତାର ସହିତ କାର୍ଯ୍ୟ କରିସାରିଛନ୍ତି । ୨୦୨୫, ଫେବ୍ରୁଆରୀରେ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନୂଆ ନିଯୁକ୍ତି ଦିଆଯାଇଥିଲା । ସେ ପିନାକ ମିଶ୍ରଙ୍କଠାରୁ ମାର୍ଚ୍ଚ ୫ରେ ଦାୟିତ୍ୱ ଗ୍ରହଣ କରିଥିଲେ । ଇସ୍ତଫା ଦେବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଅଟେ ବୋଲି ମୀନା କହିଛନ୍ତି । ତେଣୁ ଏଥିରେ ଅଯଥା ପ୍ରାସଙ୍ଗିକ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି । ତାଙ୍କୁ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ଓଡ଼ିଶାବାସୀ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ଓଡ଼ିଶାବାସୀଙ୍କୁ ସେ ପ୍ରଶଂସା କରିଛନ୍ତି । ସମସ୍ତଙ୍କ ପ୍ରତି ଆଦର ଏବଂ ସମ୍ମାନ ବଳବତ୍ତର ରହିବ । ଭବିଷ୍ୟତର ସଫଳତା ପାଇଁ ସେ ଆଶୀର୍ବାଦ କାମନା କରିଛନ୍ତି ।
ଜଗମୋହନ ମୀନା ରାଜସ୍ଥାନର ମୂଳବାସିନ୍ଦା ଅଟନ୍ତି । ସେ ଜଣେ ଆଇଆଇଟି ଛାତ୍ର । ୨୩ ଡିସେମ୍ବର ୨୦୧୩ରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଓଡ଼ିଶାରେ ନିଯୁକ୍ତି ପାଇଥିଲେ । ମାତ୍ର ୧୩ ବର୍ଷର ଚାକିରୀକାଳ ମଧ୍ୟରେ ଦୁଇ ଥର ପଦୋନ୍ନତି ପାଇବା ସହିତ ଅନେକ ସମ୍ନାନରେ ସମ୍ମାନୀତ ହୋଇଛନ୍ତି । ପୋଲିସ ସାହସିକତା ପଦକ (୨୦୧୯), ପୋଲିସ ଅନ୍ତରିକ ସୁରକ୍ଷା ସେବା ପଦକ (୨୦୨୧) ଓ ରାଜ୍ୟପାଳ ପଦକ (୨୦୨୩) ଭଳି ବଡ଼ ବଡ଼ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।