ପୁରୀ: ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଗୃହରେ ରହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା । ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ଉପଚାର ଚାଲିଥିବା ବେଳେ ଆଜି ପବିତ୍ର ଅଣସର ଷଷ୍ଠୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ 'ଓଷ' ବା ବିଶେଷ ଆୟୁର୍ବେଦିକ ଔଷଧ ଲାଗି କରାଯିବ । ଏହି ପ୍ରକ୍ରିୟା ଆସନ୍ତା ୩ ଦିନ ଧରି ଚାଲିବ ବୋଲି ସୂଚନା ମିଳିଛି ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ଗତକାଲି (ଶନିବାର) ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କୁ ଦଇତାପତି ସେବକମାନେ ପ୍ରସିଦ୍ଧ 'ଫୁଲୁରି ତେଲ' ଲାଗି କରିଥିଲେ । ଏହାପରେ ଆଜି ଠାରୁ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆୟୁର୍ବେଦିକ ପଦ୍ଧତିରେ ଏହି ଓଷ ଲାଗି ନୀତି ସମ୍ପନ୍ନ ହେବ । ଘନ ଅନ୍ଧକାର ଗୃହ ମଧ୍ୟରେ ମହାପ୍ରଭୁଙ୍କର ଏହି ଗୁପ୍ତ ଉପଚାର କରାଯାଇଥାଏ । ବିଶ୍ୱାସ ରହିଛି ଯେ, ଫୁଲୁରି ତେଲ ଏବଂ ଓଷ ଲାଗି ପରେ ଜ୍ୱରରେ କମ୍ପୁଥିବା ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଥାନ୍ତି ଏବଂ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।
ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ:
ସେପଟେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଥିବାରୁ ଶ୍ରୀକ୍ଷେତ୍ର ରଥଖଳାରେ ତିନି ରଥର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଭୋଇ ଏବଂ ମହାରଣା ସେବକମାନେ ତିନି ରଥର ଚାରିପାଖରେ କଣି ଫାଉଡି ସଂଯୋଗ କରିବା ସହ ମଣ୍ଡଣି ବତା କାର୍ଯ୍ୟକୁ ଚୂଡ଼ାନ୍ତ ରୂପ ଦେବାରେ ଲାଗିଛନ୍ତି । ଚିତ୍ରକର ସେବକମାନେ ରଥର ସାରଥୀ, ଘୋଡ଼ା ଏବଂ ପ୍ରଭାରେ ଆକର୍ଷଣୀୟ ରଙ୍ଗ ଦେଉଛନ୍ତି । ଏହା ସହିତ ରଥଗୁଡ଼ିକର ବାହ୍ୟ ଅଂଶରେ ପାରମ୍ପରିକ ଚିତ୍ରକଳା ଓ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ଅଣସର ଗୃହରେ ମହାପ୍ରଭୁଙ୍କ ଗୁପ୍ତ ନୀତି ଚାଲିଥିବା ବେଳେ ବାହାରେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଦେଖି ଭକ୍ତମାନେ ଭାବବିହ୍ୱଳ ହେଉଛନ୍ତି । ସମସ୍ତେ ଚାତକ ଭଳି ଚକାନୟନଙ୍କ ନବଯୌବନ ଦର୍ଶନ ଓ ରଥଯାତ୍ରାକୁ ଅପେକ୍ଷା କରି ରହିଛନ୍ତି ।
Also Read: ଓଡ଼ିଶାରେ ଲାଗି ରହିବ ବର୍ଷା ବିଭୀଷିକା: ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଆପଣଙ୍କ ଜିଲ୍ଲା ପାଇଁ କଣ ଅଛି ଆଲର୍ଟ?