ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କେଇଟା ଦିନ ବାକି ରହିଲା । ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୂଚାରୁରୂପେ ପରିଚାଳନା କରିବାକୁ ସରକାରଙ୍କଠାରୁ ଆରମ୍ଭ କରି ସମସ୍ତ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହି କ୍ରମରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ରଥଯାତ୍ରା ସୁରକ୍ଷା ପାଇଁ ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି କହିଛନ୍ତି ଯେ ଯେ ଚଳିତ ବର୍ଷ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ଆଜି ଡିଜିପି ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଛି । ଡିଜିପି ସୁରକ୍ଷା, ଶୃଙ୍ଖଳା, ଟ୍ରାଫିକ୍ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ଉପରେ ପୁଙ୍ଖାନୁପୁଙ୍ଖ ତର୍ଜମା କରିଛନ୍ତି । ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ପୁରୀ ଏସପି ପ୍ରତୀକ ସିଂହ ପ୍ରସ୍ତୁତିର ବିବରଣୀ ଦେଇଛନ୍ତି ।
ପୁରୀରେ ସମୀକ୍ଷା ପରେ ଡିଜିପି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ଯେ ଚଳିତ ବର୍ଷ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ । ରଥଯାତ୍ରା ବେଳେ ସୁରକ୍ଷା ଦାୟିତ୍ୱରେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨ ହଜାର ପୋଲିସ କର୍ମୀ କର୍ମଚାରୀ ମୁତୟନ ରହିବେ । ୨୦୦ରୁ ଉର୍ଦ୍ଧ୍ୱ ଫୋର୍ସ ମୁତୟନ ରହିବେ। ୩ ହଜାର ହୋମଗାର୍ଡ, ୧୦ କମ୍ପାନୀ ସିଏପିଏଫ ଜବାନ ମୁତୟନ ରହିବେ ।
ସେହିପରି ଡିଜିପି ଆହୁରି କହିଛନ୍ତି ଯେ ଚଳିତ ବର୍ଷ ରଥଯାତ୍ରାରେ ପୋଲିସ ପାଇଁ ବର୍ଷା ବଡ଼ ଚାଲେଞ୍ଜ ହୋଇପାରେ । ତେଣୁ ସମସ୍ତ ବାଧାବିଘ୍ନକୁ ସାମ୍ନା କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ। ରଥଯାତ୍ରା ସୁପରିଚାଳନା ଦାୟିତ୍ଵରେ ରହିବେ ।