ପୁରୀ ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସର ନୀତି ଜାରି ରହିଛି। ୧୦୮ ଗଡ଼ୁ ପବିତ୍ର ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିଶ୍ରାମ କରୁଛନ୍ତି। ଏହି ସମୟରେ ଦଇତାପତି ଓ ପତି ମହାପାତ୍ର ସେବକମାନେ ଗୁପ୍ତ ନୀତି ଅନୁଯାୟୀ ମହାପ୍ରଭୁଙ୍କ ସେବା ଓ ଚିକିତ୍ସା କରୁଛନ୍ତି।
ଅଣସର ନୀତିର ଏକ ପ୍ରମୁଖ ପରମ୍ପରା ହେଉଛି ଫୁଲୁରି ତେଲ ଲାଗି। ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ପବିତ୍ର ଓ ଔଷଧୀୟ ତେଲ ଲାଗି କରାଯିବ। ବିଶ୍ୱାସ ରହିଛି, ଏହି ତେଲ ଲେପନ କରିବା ଦ୍ୱାରା ମହାପ୍ରଭୁଙ୍କ ଜ୍ୱର ଓ ଶାରୀରିକ ପୀଡ଼ାରୁ ଉପଶମ ମିଳିଥାଏ।
ଏହି ଫୁଲୁରି ତେଲ ପୁରୀର ବଡ଼ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ। ହେରାପଞ୍ଚମୀ ଦିନ ଶୁଦ୍ଧ ରାଶି ତେଲରେ ବିଭିନ୍ନ ଔଷଧୀୟ ଚେରମୂଳି ଓ ସୁଗନ୍ଧିତ ଫୁଲ ମିଶାଇ ଏକ ପାତ୍ରରେ ରଖାଯାଇ ତାହାକୁ ମାଟି ତଳେ ପୋତି ଦିଆଯାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ତେଲକୁ ବାହାର କରାଯାଇ ଛଣାଯିବା ପରେ ସ୍ୱତନ୍ତ୍ର ବିଧିରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠାଯାଏ।
ମଧ୍ୟାହ୍ନ ଧୂପ ଓ ଦକ୍ଷିଣ ଘର ଭୋଗ ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଅଣସର ଘରର ବେହେରଣ ଦ୍ୱାର ଖୋଲାଯିବ। ପତି ମହାପାତ୍ର ସେବକ ତିନୋଟି ରୂପା ପିଙ୍ଗଣରେ ଫୁଲୁରି ତେଲକୁ ସଂସ୍କାର କରିବା ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହାକୁ ଲାଗି କରିବେ।
ରଥଯାତ୍ରା ପୂର୍ବରୁ ଅଣସର ନୀତିର ଏହି ଫୁଲୁରି ତେଲ ଲାଗି ପରମ୍ପରା ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ସ୍ୱତନ୍ତ୍ର ଅଂଶ ବୋଲି ଭକ୍ତମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି।