କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅଧିନସ୍ଥ ବଳିପର୍ବତ ହୁର୍ଲାବାହାଳୀ ଗ୍ରାମର ନିଖୋଜ ଥିବା ଦମ୍ପତିଙ୍କ ଗଳିତ ମୃତ ଦେହ ଉଦ୍ଧାର । ମୃତ ଦମ୍ପତି ହେଲେ ଖଗେଶ୍ୱର ସୋରେନ୍ (୪୭) ଓ ସ୍ତ୍ରୀ ଟୁନି ସୋରେନ୍ (୪୨) । ଗାଁର ଏକ ପରିତ୍ୟକ୍ତ କୂଅରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୁଣି ଗାରେଡ଼ି ପାଇଁ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏହି ମାମଲାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି ।
ସୂଚନା ଅନୁସାରେ, ମୃତ ଖଗେଶ୍ବରଙ୍କ ବଡ଼ଭାଇ ଲକ୍ଷ୍ମଣ ସୋରେନ୍ କହିଛନ୍ତି ଯେ ଗତ ମାସ ୨୫ ତାରିଖରୁ ଦମ୍ପତି ନିଖୋଜ ଥିଲେ । ବହୁତ ଖୋଜାଖୋଜି କରିବା ପରେ ଉଭୟ ନ ମିଳିବାରୁ ଗତ ମାସ ୨୭ ତାରିଖରେ ଦୈତାରୀ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ସେବେଠାରୁ ଉଭୟଙ୍କ ସନ୍ଧାନରେ ଥିଲା । ତେବେ ଗତକାଲି ବଳିପର୍ବତ ହୁର୍ଲାବାହାଳୀ ଗାଁର ଏକ ପରିତ୍ୟକ୍ତ କୂଅରୁ ଖଗେଶ୍ୱର ଓ ଟୁନିଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଘଟଗାଁ ଏସଡିପିଓ କମଲ କିଶୋର ପଣ୍ଡା, ହରିଚନ୍ଦନପୁର ଥାନା ଆଇଆଇସି ମିତାଲି ମଧୁଲିତା ବିଶ୍ଵାଳ, ଦୈତାରି ଥାନା ଆଇଆଇସି ହୃଷିକେଶ ବେହେରା ଘଟଣାର ସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମବାହିନୀ ମୃତ ଦେହ ଦ୍ୱୟକୁ କୂଅରୁ ବାହାର କରିଥିଲା । ଉଭୟଙ୍କ ଗୋଡ଼ରେ ପଥରେ ମଧ୍ୟ ବନ୍ଧା ଯାଇଥିବାବେଳେ ପତ୍ନୀ ଟୁନି ଉଲଗ୍ନ ଅବସ୍ଥାରେ ଥିଲେ ।
ତେବେ ଏହି ଘଟଣାରେ ପୋଲିସ ଗ୍ରାମର ଶିବ ମୁଣ୍ଡା ନାମକଙ୍କ ବ୍ୟକ୍ତି ଏବଂ ଅନ୍ୟ ୪ଜଣଙ୍କୁ ଅଟକ ରଖିଛି । ଖଗେଶ୍ୱର ସୋରେନ୍ ପୂର୍ବରୁ ଗାଁରେ କାହାକୁ ଜ୍ଵର ହେଲେ ଝଡାଫୁଙ୍କା କରୁଥିଲେ । ୨୦୧୯ ମସିହାରେ ଶିବ ମୁଣ୍ଡାର ଭଉଣୀର ଦେହ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ଘଟିବାରୁ , ଖଗେଶ୍ୱର ଗୁଣି ଗାରେଡ଼ି କରି ତାଙ୍କ ଭଉଣୀକୁ ହତ୍ୟା କରିଥିବା ଶିବ ସବୁବେଳେ ସନ୍ଦେହ ଘେରରେ ଖଗେଶ୍ୱରଙ୍କୁ ଦେଖୁଥିଲା । ଗତ ମାସ ୨୫ ତାରିଖରେ ଶିବ ମୁଣ୍ଡା ଅନ୍ୟ ଜଣଙ୍କ ସହ ମିଶି, ଦମ୍ପତ୍ତିଙ୍କୁ ହତ୍ୟା କରି ପଥର ବାନ୍ଧି କୂଅରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । ଶବ ବ୍ୟବଚ୍ଛେଦ ଏବଂ ବିସ୍ତୃତ ତଦନ୍ତ ପରେ ଘଟଣା ଉପରୁ ପରଦା ଘଟିବ ବୋଲି ପୋଲିସ କହିଛି ।