ବରଗଡ଼: ଲଗାଣ ବର୍ଷା ଯୋଗୁଁ ବରଗଡ଼ ସହରର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷାର ପ୍ରଭାବରେ ସହରର ଟାଙ୍ଗରପଡ଼ା ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଡ୍ରେନର ପାଣି ଘର ଭିତରକୁ ପଶିଯିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଗତକାଲିଠାରୁ ଲାଗି ରହିଥିବା ବର୍ଷାରେ ଅଞ୍ଚଳର ଅନେକ ଘରେ ପାଣି ପଶିଯାଇଛି। ଘର ଭିତରେ ପାଣି ଜମି ରହିଥିବାରୁ ଲୋକମାନେ ମୋଟର, ବାଲ୍ଟି ଓ ଅନ୍ୟାନ୍ୟ ଉପାୟରେ ପାଣି ବାହାର କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଘରୋଇ ସାମଗ୍ରୀ ନଷ୍ଟ ହେବା ସହ ଦୈନନ୍ଦିନ ଜୀବନ ମଧ୍ୟ ବ୍ୟାହତ ହୋଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଟାଙ୍ଗରପଡ଼ା ଅଞ୍ଚଳରେ ବହୁ ବର୍ଷ ଧରି ଡ୍ରେନେଜ୍ ସମସ୍ୟା ଲାଗି ରହିଛି। ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ଡ୍ରେନର ପାଣି ରାସ୍ତା ଓ ଘରେ ପଶି ଲୋକଙ୍କୁ ହଇରାଣ କରୁଛି।
ଏଭଳି ପରିସ୍ଥିତିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବର୍ଷା ଋତୁ ପୂର୍ବରୁ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର କରାଯାଇଥାନ୍ତା, ତେବେ ଏପରି ସମସ୍ୟା ଉପୁଜିନଥାନ୍ତା ବୋଲି ସେମାନେ କହିଛନ୍ତି। ତେଣୁ ଟାଙ୍ଗରପଡ଼ାର ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।