ଭୁବନେଶ୍ୱର: ରାଜ୍ୟରେ ଘରୋଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ନିୟମବଦ୍ଧ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି। ଓଡ଼ିଶା ଶିକ୍ଷା ଆଇନ-୧୯୬୯, ଘରୋଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ନିୟମାବଳୀ-୧୯୯୧ ଏବଂ ଶିଶୁଙ୍କ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (RTE) ଆଇନ-୨୦୦୯କୁ ଆଧାର କରି ଏହି ସଂଶୋଧିତ ବ୍ୟବସ୍ଥା ଲାଗୁ କରାଯାଇଛି।
ନୂଆ ନିୟମ ଅନୁସାରେ, ଏଣିକି ରାଜ୍ୟରେ କୌଣସି ଘରୋଇ ପ୍ରାଥମିକ କିମ୍ବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଓପେନିଂ ପରମିସନ୍ ଏବଂ ସାର୍ଟିଫିକେଟ୍ ଅଫ୍ ରେକଗ୍ନିସନ୍ (CoR) ବିନା କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏହି ନିୟମ ଓଡ଼ିଆ, ଇଂରାଜୀ ସମେତ ସମସ୍ତ ମାଧ୍ୟମର ଘରୋଇ ବିଦ୍ୟାଳୟ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ।
ଏହି ବିଜ୍ଞପ୍ତିର ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି, ନୂଆ ସ୍କୁଲ ଖୋଲିବା ପାଇଁ ଆଉ 'ଏସେନ୍ସିଆଲିଟି ସାର୍ଟିଫିକେଟ୍' ଦାଖଲ କରିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ବିଦ୍ୟାଳୟ ସ୍ଥାପନ ପ୍ରକ୍ରିୟାରେ ଥିବା ଏକ ପ୍ରମୁଖ ପ୍ରଶାସନିକ ବାଧା ଦୂର ହେବ ବୋଲି ବିଭାଗ ଆଶା ପ୍ରକାଶ କରିଛି। ତେବେ ନିୟମ ସରଳ ହୋଇଥିଲେ ମଧ୍ୟ ଗୁଣବତ୍ତା ଓ ଭିତ୍ତିଭୂମିକୁ ନେଇ କୌଣସି କୋହଳ କରାଯାଇନାହିଁ।
ବିଦ୍ୟାଳୟ ପରିଚାଳନାକାରୀ ସଂସ୍ଥା ସୋସାଇଟିଜ୍ ରେଜିଷ୍ଟ୍ରେସନ୍ ଆକ୍ଟ, ୧୮୬୦ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ସେହିପରି ପର୍ଯ୍ୟାପ୍ତ ଜମି, ସୁରକ୍ଷିତ ଶ୍ରେଣୀଗୃହ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଖେଳ ପଡ଼ିଆ, ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ ଭଳି ସମସ୍ତ ମୌଳିକ ସୁବିଧା ରହିବା ବାଧ୍ୟତାମୂଳକ। ଏହା ସହ ଯୋଗ୍ୟ ଓ ପ୍ରଶିକ୍ଷିତ ଶିକ୍ଷକ ଏବଂ କର୍ମଚାରୀ ନିଯୁକ୍ତି କରିବା ସହ RTE ଆଇନର ସମସ୍ତ ମାନଦଣ୍ଡ ପାଳନ କରିବାକୁ ପଡ଼ିବ।
ବିଦ୍ୟାଳୟ ଖୋଲିବା ପାଇଁ ଆବେଦନ ପ୍ରଥମେ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷକଙ୍କ ନିକଟକୁ ସୁପାରିସ ହେବ। ଅନୁମୋଦନ ପରେ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଓପେନିଂ ପରମିସନ୍ ଜାରି କରିବେ। ଏହା ସହ DEO ଓ BEOମାନେ ସମୟ ସମୟରେ ବିଦ୍ୟାଳୟଗୁଡ଼ିକର ଯାଞ୍ଚ ଓ ତଦାରଖ କରିବେ। ନିୟମ ଉଲ୍ଲଂଘନ କଲେ ପ୍ରଚଳିତ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଭାଗ ସ୍ପଷ୍ଟ କରିଛି। ନୂଆ ବିଜ୍ଞପ୍ତି ସହ ଅସଙ୍ଗତି ଥିବା ପୂର୍ବରୁ ଜାରି ସମସ୍ତ ନିର୍ଦ୍ଦେଶକୁ ବାତିଲ କରାଯାଇଛି।