ଭୁବନେଶ୍ୱର: ସୌମ୍ୟ ହତ୍ୟା ମାମଲାରେ ବଡ଼ ଅପଡେଟ୍। ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡର ତଦନ୍ତ ଏବେ ନୂଆ ମୋଡ଼ ନେଇଛି। ମାମଲାର ସହଯୋଗୀ ଅଭିଯୁକ୍ତ ଓମ୍ ପ୍ରକାଶ ରାଉତଙ୍କର ଲାଇ ଡିଟେକ୍ସନ୍ (ମିଛଧରା) ପରୀକ୍ଷା କରାଯାଇଛି। ରାଜ୍ୟ ଫରେନ୍ସିକ୍ ସାଇନ୍ସ ଲାବରେଟରୀ (SFS)ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଇଥିବା ଏହି ପରୀକ୍ଷାକୁ ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ କଡ଼ି ବୋଲି ଦେଖାଯାଉଛି।
ସୂଚନା ଅନୁସାରେ, ଓମ୍ ପ୍ରକାଶଙ୍କୁ ପଚରାଉଚରା ପାଇଁ ୫୦ରୁ ଅଧିକ ପ୍ରଶ୍ନ ପ୍ରସ୍ତୁତ କରିଥିଲା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍। ଫରେନ୍ସିକ୍ ବିଶେଷଜ୍ଞଙ୍କ ଉପସ୍ଥିତିରେ ହୋଇଥିବା ଏହି ପରୀକ୍ଷା ପାଇଁ ଖୋଦ୍ ଓମ୍ ନିଜ ସହମତି ଦେଇଥିବା ଜଣାପଡ଼ିଛି। ତଦନ୍ତକାରୀ ସଂସ୍ଥା ଜାଣିବାକୁ ଚାହୁଁଛି ଯେ, ଓମ୍ ପୂର୍ବରୁ ଦେଇଥିବା ବୟାନରେ କେତେ ସତ୍ୟତା ରହିଛି, ବୟାନଗୁଡ଼ିକ ମଧ୍ୟରେ କୌଣସି ତାଳମେଳ ନଥିବା ଦିଗ ଅଛି କି ନାହିଁ, ହତ୍ୟାକାଣ୍ଡ ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା କି, ଏବଂ ବହୁଚର୍ଚ୍ଚିତ ଆଇପିଏସ୍ ଲିଙ୍କ୍କୁ ନେଇ ଉଠୁଥିବା ପ୍ରଶ୍ନରେ କେତେ ସତ୍ୟତା ରହିଛି।
ଅନ୍ୟପଟେ, ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ସ୍କାଇଲାବ୍ ପତି, ବିସ୍ମୟ ମହାନ୍ତି ଏବଂ ପଞ୍ଚାନନ ବଡ଼ଜେନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୋଲିସ। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ, ଫେରାର ଅଭିଯୁକ୍ତଙ୍କ ଠିକଣା ଖୋଜିବା, ଏବଂ ଭାଇରାଲ୍ ଭିଡିଓ ଆଧାରରେ ଅନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଏହି ରିମାଣ୍ଡ ଗୁରୁତ୍ୱପୂର୍ଣ୍ଣ ବୋଲି ପୋଲିସ କହିଛି।
ଏପର୍ଯ୍ୟନ୍ତ ଏହି ବହୁଚର୍ଚ୍ଚିତ ହତ୍ୟା ମାମଲାରେ ୨୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବାବେଳେ, ଆଉ କିଛି ଅଭିଯୁକ୍ତ ଏବେବି ଫେରାର ଅଛନ୍ତି। ଲାଇ ଡିଟେକ୍ସନ୍ ରିପୋର୍ଟ ଓ ରିମାଣ୍ଡରେ ମିଳୁଥିବା ତଥ୍ୟ ତଦନ୍ତକୁ କେଉଁ ନୂଆ ଦିଗକୁ ନେବ, ତା'ଉପରେ ସମସ୍ତଙ୍କ ନଜର ରହିଛି।