ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅନ୍ତର୍ଗତ ଶାହାରଦା ଗ୍ରାମରୁ ବଧୂ ହତ୍ୟା ଅଭିଯୋଗ ଆସିଛି । ସେ ପୁଣି ମାତ୍ର ୧୪ ବର୍ଷର ନାବାଳିକା ବଧୂ । ଏନେଇ ନାବାଳିକାଙ୍କ ପରିବାର ଲୋକେ ଚାନ୍ଦିପୁର ଥାନାରେ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁସାରେ, ଚାନ୍ଦିପୁର ଥାନା ଅନ୍ତର୍ଗତ ଶାହାରଦା ଗ୍ରାମରେ ନାବାଳିକା ଜଣକ ବିବାହ କରିଥିଲେ । ଏକ ସଡ଼କ ଦୁର୍ଘଟଣାରେ ସ୍ୱାମୀ ପଙ୍ଗୁ ହୋଇଯିବାରୁ ବୋହୁ ଉପରେ ଶାଶୁ ଘର ଲୋକଙ୍କ ନିର୍ଯ୍ୟାତନା ଆରମ୍ଭ ହୋଇଥିଲା । ବାପାଙ୍କ ଘରୁ ଯୌତୁକ ଆଣିବାକୁ ବାରମ୍ବାର ନିର୍ଯ୍ୟାତନା ଦେଉଥିଲେ । ତେବେ ଆଜି ସମ୍ପୃକ୍ତ ନାବାଳିକାଙ୍କ ଝୁଲନ୍ତା ମୃତ ଦେହ ମିଳିବା ପରେ ପରିବାର ଲୋକେ ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଶାଶୁ ଘରେ ଲୋକେ ମାରି ଟାଙ୍ଗି ଦେଇଥିବା କହିଛନ୍ତି ।
ଏ ନେଇ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ଜବତ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିଛି । ସେପଟେ ନାବାଳିକାଙ୍କର ବିବାହ କେମିତି ହେଲା ତାହା ସମସ୍ତଙ୍କୁ ଚକିତ କରିଛି । ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।