କଳାହାଣ୍ଡି: ଧାନ କିଣାରେ ସରକାରୀ ନିୟମକୁ ଅବମାନନା କରିବା ଏବଂ ଚାଷୀଙ୍କୁ ହତଦାର କରି ଦଲାଲଙ୍କୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ରାଇସ୍ ମିଲ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଅମାଠ ଛକସ୍ଥିତ ବେହେରା ରାଇସ ମିଲ ଏବଂ ଗୋଟିଏ ଗୋଦାମକୁ ସିଲ୍ କରିଦିଆଯାଇଛି । ମଙ୍ଗଳବାର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏସିଏସଓ ଏବଂ କେସିଙ୍ଗା ତହସିଲଦାରଙ୍କ ଉପସ୍ଥିତରେ ମିଲ୍ ଓ ଗୋଦାମରେ ତାଲା ପକାଯାଇଛି ।
ବେହେରା ରାଇସ୍ ମିଲ୍ ବିରୁଦ୍ଧରେ ଅନେକ ଅଭିଯୋଗ ରହିଥିଲା । ରବି ଋତୁରେ ଚାଷୀଙ୍କଠାରୁ ବିଭିନ୍ନ ମଣ୍ଡିରୁ ଧାନ ନ ଉଠାଇବା, ଜିଲ୍ଲାପାଳଙ୍କ ବୈଠକକୁ ବେଖାତିର କରିବା, ଚାଷୀଙ୍କ ଧାନ ନ କିଣି ଦଲାଲମାନଙ୍କଠାରୁ ଧାନ କିଣିବା ଏବଂ ବେନିୟମ ଭାବେ ଧାନ ସଂଗ୍ରହ କରିବା ଅଭିଯୋଗ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ ନ କରି ମନମାନୀ କରୁଥିଲେ । ପ୍ରକୃତ ଚାଷୀଙ୍କଠାରୁ ଧାନ ନ କିଣି ନିଜ ଲାଭ ପାଇଁ ବେଆଇନ ଭାବେ ବ୍ୟବସାୟୀଙ୍କ ଠାରୁ ଧାନ କିଣି ଅନେକ ଧାନ ଗଚ୍ଛିତ ରଖୁଥିବା ମଧ୍ୟ ଅଭିଯୋଗ ଆସିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ରାଇସ୍ ମିଲକୁ ପୋଲିସ ଉପସ୍ଥିତିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରାଯାଇଛି । ଏହି ସମୟରେ ଭବାନୀପାଟଣାର ଏସିଏସଓ ସୋନାଲି ଖରା, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଏବଂ ବ୍ଲକ ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।