ଭୁବନେଶ୍ୱର: ବାଲିଅନ୍ତାର ଯୁବକ ସୌମ୍ୟରଞ୍ଜନଙ୍କୁ ଭିଡ଼ ମଧ୍ୟରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯିବା ଘଟଣାରେ କ୍ରାଇମ୍ବ୍ରାଞ୍ଚକୁ ମିଳିଛି ଆଉ ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଫେରାର ଥିବା ଅଭିଯୁକ୍ତ ରବି ଭୋଇଙ୍କୁ କ୍ରାଇମ୍ବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ମଞ୍ଚେଶ୍ୱର ଥାନା ଅଧୀନ କଳାରୋହଙ୍ଗ ଅଞ୍ଚଳରୁ ଗିରଫ କରିଛି।
ତଦନ୍ତରୁ ଜଣାପଡ଼ିଛି, ହତ୍ୟାକାଣ୍ଡ ଘଟିଥିବା ଦିନ ରବି ଭୋଇ ତାଙ୍କ ଭଉଣୀଙ୍କ ଘରେ ଲୁଚି ରହିଥିଲେ। କେବଳ ସୌମ୍ୟଙ୍କୁ ମାଡ଼ ମାରିବା ନୁହେଁ, ତାଙ୍କ ହାତ ଓ ଗୋଡ଼ ବାନ୍ଧିବାରେ ମଧ୍ୟ ସେ ସକ୍ରିୟ ଭୂମିକା ନେଇଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଏହାପରେ ସେ ଗିରଫଦାରୀରୁ ବଞ୍ଚିବା ପାଇଁ ବାରମ୍ବାର ଠିକଣା ବଦଳାଇ ପୋଲିସକୁ ଚକମା ଦେଉଥିଲେ।
ତେବେ କ୍ରାଇମ୍ବ୍ରାଞ୍ଚର ଗୁଇନ୍ଦା ସୂଚନା ଓ ଯୋଜନାବଦ୍ଧ ଅପରେସନ୍ ଯୋଗୁଁ ଶେଷରେ ରବି ଭୋଇକୁ କାବୁ କରିବାରେ ସଫଳ ହୋଇଛି ତଦନ୍ତକାରୀ ଟିମ୍। ଏହି ଗିରଫଦାରୀ ପରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ମୋଟ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।
ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ଖୋଲା ରାସ୍ତାରେ ଭିଡ଼ ଭିତରେ ଜଣେ ଯୁବକଙ୍କୁ ଅମାନବୀୟ ଭାବେ ପିଟି ପିଟି ହତ୍ୟା କରାଯିବା ଘଟଣା ସାଧାରଣ ଲୋକଙ୍କ ମଧ୍ୟରେ ଉଦବେଗ ସୃଷ୍ଟି କରିଥିଲା। ଏବେ ବି ଘଟଣାର ଅଧିକ ଦିଗ ଉପରେ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଜାରି ରଖିଛି ଏବଂ ମାମଲା ସହ ଜଡିତ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରୁଛି।