ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ଲୁହା ରଡରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିବା ଘଟଣା ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ହତ୍ୟା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ, ସେମାନଙ୍କୁ ଧରିବା ପାଇଁ ପୋଲିସ ଜୋରଦାର ତଲାସି ଆରମ୍ଭ କରିଛି।
ମୃତକଙ୍କ ପରିଚୟ ଗଞ୍ଜାମ ଜିଲ୍ଲାର କୃଷ୍ଣଚନ୍ଦ୍ର ପାଢୀ ବୋଲି ଜଣାପଡ଼ିଛି। ପ୍ରାଥମିକ ସୂଚନା ଅନୁଯାୟୀ, କୃଷ୍ଣଚନ୍ଦ୍ରଙ୍କୁ ଲୁହା ରଡରେ ବାରମ୍ବାର ଆକ୍ରମଣ କରାଯାଇଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ଖବର ପାଇ ଖଣ୍ଡଗିରି ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ସାଇଣ୍ଟିଫିକ ଟିମ ପହଂଚି ପ୍ରମାଣ ସଂଗ୍ରହ କରିଛି। ଘଟଣାସ୍ଥଳର ଯାଞ୍ଚ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଯାଉଛି।
ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ପୂର୍ବ ଶତ୍ରୁତା, ବ୍ୟକ୍ତିଗତ ବିବାଦ କିମ୍ବା ଅନ୍ୟ କୌଣସି କାରଣ ଏହି ହତ୍ୟା ପଛରେ ରହିଛି କି ନାହିଁ, ସେନେଇ ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରୁଛି। ଫେରାର ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ରାଜଧାନୀରେ ବାରମ୍ବାର ଘଟୁଥିବା ଏଭଳି ହତ୍ୟାକାଣ୍ଡ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି।