ପିଲିଭିତ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପିଲିଭିତରେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି (SP) ଉପରେ ବର୍ଷିଛନ୍ତି। ଦେଶ ବିଭାଜନ ଠାରୁ ଆରମ୍ଭ କରି ବାଂଲାଦେଶ ଗଠନ ପଛରେ କଂଗ୍ରେସର କ୍ଷମତା ଲୋଭ ରହିଥିଲା ବୋଲି ସେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏଥିସହିତ ସେ ବିରୋଧୀଙ୍କୁ ‘ତୁଷ୍ଟିକରଣ’ ରାଜନୀତି ପାଇଁ ଦାୟୀ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ବାଂଲାଦେଶ ସୃଷ୍ଟି ହେବା କଂଗ୍ରେସ ଦଳର ପାପର ପରିଣାମ ଥିଲା। ବାସ୍ତବରେ ପାକିସ୍ତାନ କିମ୍ବା ବାଂଲାଦେଶ ଗଠନର କୌଣସି ଆବଶ୍ୟକତା ନଥିଲା, ବରଂ ଏହା କେବଳ ରାଜନୈତିକ କ୍ଷମତାର ଲୋଭ ଯୋଗୁଁ ଘଟିଥିବା ଏକ ଦୁର୍ଭାଗ୍ୟଜନକ ବିଭାଜନ।
ଯଦି ସେତେବେଳର ନେତାମାନେ ଟିକେ ଧୈର୍ଯ୍ୟ ଧରିଥାନ୍ତେ, ତେବେ ଜିନ୍ନା କିଛି ବର୍ଷ ମଧ୍ୟରେ ନିଜ ସ୍ୱାଭାବିକ ମୃତ୍ୟୁ ବରଣ କରିଥାନ୍ତେ ଏବଂ ପାକିସ୍ତାନ କେବେ ଗଠନ ହୋଇନଥାନ୍ତା। କଂଗ୍ରେସର ଏହି ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ଭିଟାମାଟି ଛାଡ଼ିବାକୁ ପଡ଼ିଲା ଏବଂ ଅସଂଖ୍ୟ ହିନ୍ଦୁଙ୍କୁ ନିଷ୍ଠୁର ଭାବେ ହତ୍ୟା କରାଗଲା। କଂଗ୍ରେସ ସାରା ଦେଶକୁ ବାଜି ଲଗାଇ ନିଜର ସ୍ୱାର୍ଥପର ରାଜନୀତି କରିଥିଲା।
ସମାଜବାଦୀ ପାର୍ଟିକୁ ଟାର୍ଗେଟ୍
କଂଗ୍ରେସ ସହ ହାତ ମିଳାଇଥିବା ସମାଜବାଦୀ ପାର୍ଟି (ସପା) ଉପରେ ମଧ୍ୟ ଯୋଗୀ ପ୍ରହାର କରିଛନ୍ତି। ସେ କହିଛନ୍ତି, ସପା ନେତାଙ୍କ ପାଖରେ ଜନସାଧାରଣଙ୍କ ସେବା ପାଇଁ ସମୟ ନାହିଁ। ଏମାନଙ୍କ ନେତା (ଅଖିଳେଶ ଯାଦବ) ଦ୍ୱିପ୍ରହର ୧୨ଟାରେ ସୋଇକି ଉଠନ୍ତି ଏବଂ ସନ୍ଧ୍ୟା ୫ଟାରେ ଜିମ୍ ଯାଆନ୍ତି। ଚାରି ଚାରି ଥର ସରକାରରେ ରହିବା ପରେ ବି ଯଦି 'ବବୁଆ'ଙ୍କୁ ସମୟ ମିଳିଥାନ୍ତା, ତେବେ ଯାଇ ବିକାଶ ହୋଇଥାନ୍ତା!"
ଯୋଗୀ ଆହୁରି ମଧ୍ୟ କହିଛନ୍ତି ଯେ, ସପା ଶାସନରେ ଯେଉଁଠି ବେଆଇନ ମାରଣାସ୍ତ୍ର ବା 'କଟ୍ଟା' ତିଆରି ହେଉଥିଲା, ଆଜି ଆମ ସରକାର ଅମଳରେ ସେଠାରେ ଦେଶର ସୁରକ୍ଷା ପାଇଁ ବ୍ରହ୍ମୋସ ମିସାଇଲ୍ ତିଆରି ହେଉଛି। ଉତ୍ତର ପ୍ରଦେଶର ଜନତା ଏବେ ସପାର 'ସାଇକେଲ'କୁ ସମ୍ପୂର୍ଣ୍ଣ ପଞ୍ଚର କରିଦେଇଛନ୍ତି। ସାଇକେଲ ଚାଲିଲେ କେବଳ ଦଙ୍ଗା ହିଁ ହେବ।