କେନ୍ଦ୍ରାପଡ଼ା: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି ସ୍ନାନ ଯାତ୍ରା । ରୀତିନୀତି ଅନୁଯାୟୀ ସ୍ନାନ ମଣ୍ଡପ ଉପରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହା ପରେ ସ୍ନାନମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଏହି ଦୁର୍ଲଭ ଦୃଶ୍ୟକୁ ଦେଖିବାକୁ ତୁଳସୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।
ସକାଳେ ପୂର୍ବ ନିର୍ଦ୍ଧାରିତ ସମୟରେ ରତ୍ନ ସିଂହାସନରୁ ଓହ୍ଲାଇ ସ୍ନାନ ବେଦୀକୁ ଆସିଥିଲେ ଚାରି ଦିଅଁ । ଧାଡ଼ି ପହଣ୍ଡିରେ ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଏବଂ ସୁଦର୍ଶନଙ୍କୁ ନେଇ ସେବାୟତମାନେ ସ୍ନାନ ମଣ୍ଡପ ରେ ବିଜେ କରାଇଥିଲେ l ମଙ୍ଗଳ ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା। ଏହା ପରେ ଆରମ୍ଭ ହୋଇଥିବା ପବିତ୍ର ଦିବ୍ୟ ସ୍ନାନ । ୧୦୮ କଳସୀ ପବିତ୍ର ଜଳରେ ବଡ ଠାକୁର ସ୍ନାନ କରିଥିଲେ ଚତୁର୍ଦ୍ଧମୂରତି ।
ସ୍ନାନମଣ୍ଡପ ଗଜାନନ ବେଶରେ ସୁସଜ୍ଜିତ ହୋଇଥିଲେ ଶ୍ରୀଜୀଉ । ଯାହାର ଦର୍ଶନ ପାଇଁ କାହିଁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁ ତୁଳସୀକ୍ଷେତ୍ରକୁ ଧାଇଁ ଆସିଥିଲେ । ଲୋକାରଣ୍ୟ ହୋଇପଡ଼ିଥିଲା ମନ୍ଦିର ପରିସର । ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।