ବରଗଡ଼: ନିର୍ଦ୍ଧାରିତ ସମୟ ସୀମା ସରିଯାଇଛି, କିନ୍ତୁ ରାସ୍ତା କାମ ସରିନି। ଓଲଟା ହାତ ମାରିଲେ ପିଚୁ ଉଠିଯାଉଥିବା ଭଳି ନିମ୍ନମାନର କାମକୁ ନେଇ ଏବେ ତେଜିଛି ଜନଅସନ୍ତୋଷ। ବରଗଡ଼ ବ୍ଲକର ଆନ୍ଧ୍ରକେମ୍ପରୁ ମାଳିପାଲି-ଗାଇସିମା ସଂଯୋଗକାରୀ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିବାବେଳେ, ଏହାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ବରଗଡ଼ ଉପଜିଲ୍ଲାପାଳ।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଆନ୍ଧ୍ରକେମ୍ପରୁ ମାଳିପାଲି ଭାୟା ଗୁଦୁରାଟିକ୍ରା ଓ ଟାଙ୍ଗରଟିକ୍ରା ଦେଇ ଗାଇସିମା ମାର୍କେଟକୁ ସଂଯୋଗ କରିବା ପାଇଁ ପ୍ରାୟ ୫ କିଲୋମିଟର ନୂଆ ରାସ୍ତା ନିର୍ମାଣକୁ ପୂର୍ବ ସରକାର ଅନୁମୋଦନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ୨୦୨୪ ଜାନୁଆରୀ ୧ରୁ କାମ ଆରମ୍ଭ ହୋଇ ସେହି ବର୍ଷ ସେପ୍ଟେମ୍ବର ଶେଷ ସୁଦ୍ଧା କାମ ସରିବାକୁ ଚୁକ୍ତି ହୋଇଥିଲା।
ହେଲେ ବର୍ତମାନ ୨୦୨୬ ଜୁନ୍ ଶେଷ ହେବାକୁ ବସିଥିଲେ ମଧ୍ୟ ରାସ୍ତା କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ମୂଳ ଠିକା ସଂସ୍ଥା ଶ୍ରୀମା କନଷ୍ଟ୍ରକସନ୍ ନିଜେ କାମ ନକରି ପେଟି ଠିକାଦାରଙ୍କ ହାତରେ ଦାୟିତ୍ୱ ଦେଇଥିବାରୁ କାମର ମାନ ଅତ୍ୟନ୍ତ ଖରାପ ହୋଇଛି।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ନିର୍ମାଣ ହେଉଥିବା ରାସ୍ତାରେ ହାତ ମାରିଲେ ପିଚୁ ଉଠିଯାଉଛି। ସ୍ଥାନୀୟ ଲୋକେ କ୍ୟାମେରା ସାମ୍ନାରେ ରାସ୍ତାର ନିମ୍ନମାନର କାମ ଦେଖାଇ ପ୍ରଶ୍ନ ଉଠାଇଛନ୍ତି। ଆବଶ୍ୟକ ପରିମାଣରେ ମେଟାଲ, ମୁରୁମ୍ ଓ ଚିପ୍ସ ବ୍ୟବହାର ନକରି ସିଧାସଳଖ ନିମ୍ନମାନର ପିଚୁ ଢାଳି କାମ କରାଯାଉଥିବାରୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଗଭୀର ସନ୍ଦେହ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, କାମ ସମୟରେ ବିଭାଗୀୟ ଜେଇ କିମ୍ବା ଏସଡିଓ କେହି ସ୍ଥଳ ପରିଦର୍ଶନ କରୁନଥିବାରୁ ଠିକାଦାର ମନଇଚ୍ଛା କାମ କରୁଛନ୍ତି। ଏହାକୁ ନେଇ ବରଗଡ଼ ଉପଜିଲ୍ଲାପାଳ କହିଛନ୍ତି, ଅଭିଯୋଗର ତଦନ୍ତ କରାଯିବ ଏବଂ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ କାର୍ଯ୍ୟନିର୍ବାହୀ ସଂସ୍ଥା ଓ ଠିକାଦାରଙ୍କ ବିରୋଧରେ ଆବଶ୍ୟକ କଡ଼ା ପଦକ୍ଷେପ ନିଆଯିବ। ଏବେ ସମସ୍ତଙ୍କ ନଜର ପ୍ରଶାସନର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ।