ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦେରରାତିରେ ଘଟିଥିବା ଏକ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଡ୍ୟୁଟିକୁ କେନ୍ଦ୍ର କରି ବଚସା ପରେ ଜଣେ ମହିଳା ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆହତ ହୋଇଥିବା ମହିଳା ଗାର୍ଡଙ୍କୁ ଚିକିତ୍ସା ଦିଆଯାଇଥିବାବେଳେ ଘଟଣାର ତଦନ୍ତରେ ଲାଗିଛି ପୋଲିସ।
ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭବାନୀ ସିକ୍ୟୁରିଟି ଏଜେନ୍ସି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରାଯାଉଛି। ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟରତ ମହିଳା ସିକ୍ୟୁରିଟି ଗାର୍ଡ ପ୍ରଭାତୀ ରାଉତ ଅନ୍ୟ ଜଣେ ମହିଳା ଗାର୍ଡଙ୍କ ଡ୍ୟୁଟି ବନ୍ଦ କରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ବିବାଦ ବଢ଼ିଥିଲା।
ଅଭିଯୋଗ ଅନୁଯାୟୀ, ଡ୍ୟୁଟି ବନ୍ଦ ହୋଇଥିବା ମହିଳା ସିକ୍ୟୁରିଟି ଗାର୍ଡଙ୍କ ସ୍ୱାମୀ ଓ ଅନ୍ୟ ଜଣେ ବ୍ୟକ୍ତି ହଠାତ୍ ମେଡିକାଲ ପରିସରରେ ପହଞ୍ଚି ପ୍ରଭାତୀ ରାଉତଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ତୀବ୍ର ବଚସା ଓ ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ପାଇଁ ମେଡିକାଲ ପରିସରରେ ଅସ୍ଥିର ପରିସ୍ଥିତି ଦେଖାଦେଇଥିଲା ଏବଂ ସେଠାରେ ଉପସ୍ଥିତ ରୋଗୀ ଓ ସମ୍ପର୍କୀୟମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା।
ଘଟଣାର ଖବର ପାଇ ଗ୍ରାମାଞ୍ଚଳ ଥାନା ପୋଲିସ ତୁରନ୍ତ ମେଡିକାଲରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପରେ ଆହତ ମହିଳା ସିକ୍ୟୁରିଟି ଗାର୍ଡ ପ୍ରଭାତୀ ରାଉତଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।
ଡ୍ୟୁଟିକୁ କେନ୍ଦ୍ର କରି ସରକାରୀ ଚିକିତ୍ସାଳୟ ଭିତରେ ଏଭଳି ମାରପିଟ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।