ପୁରୀ: ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁରୁଖୁରେ ସମ୍ପାଦନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେହିପରି ସାର ଜଗତର କଲ୍ୟାଣ ଏବଂ ସମୃଦ୍ଧ ଓଡ଼ିଶା ପାଇଁ ପ୍ରାର୍ଥନା କରିଛନ୍ତି ।
ଏହା ପରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡ ସ୍ଥିତ ରଥଖଳାରେ ପହଞ୍ଚି ପବିତ୍ର ଶ୍ରୀଜଗନ୍ନାଥ ରଥଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ରଥ ମହାରଣାମାନଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଓ ଆବଶ୍ୟକତା ବିଷୟରେ ଜାଣିବା ସହ ରଥ ନିର୍ମାଣ କାର୍ଯ୍ୟକୁ ଅଧିକ ସୁରୁଖୁରୁରେ ଓ ସମୟାନୁସାରେ ସମ୍ପନ୍ନ କରିବା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପରମ୍ପରାକୁ ନିଷ୍ଠା ଓ ସମର୍ପଣର ସହିତ ଆଗେଇ ନେଉଥିବା ରଥ ମହାରଣାମାନଙ୍କ ଅବଦାନ ଅତୁଳନୀୟ । ସେମାନଙ୍କ ସୁବିଧା, ସୁରକ୍ଷା ଓ ରଥ ନିର୍ମାଣ ପାଇଁ ଆବଶ୍ୟକ ସମସ୍ତ ସହଯୋଗ ସୁନିଶ୍ଚିତ କରିବାକୁ ଆମ ସରକାର ପ୍ରତିବଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷର ରଥଯାତ୍ରା ସୁରୁଖୁରୁରେ, ଶାନ୍ତିପୂର୍ଣ୍ଣ ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଉ ଏହାହିଁ ପ୍ରାର୍ଥନା ।
ତତସହିତ ମୁଖ୍ୟମନ୍ତ୍ରୀ ରଥଖଳାରୁ ସିଧାସଳକ ଶ୍ରୀନଅର ଅଭିମୁଖେ ଯାଇଥିଲେ । ଶ୍ରୀରାଜନଅରଠାରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରି ଆଗାମୀ ରଥଯାତ୍ରା ପ୍ରସ୍ତୁତି ବ୍ୟବସ୍ଥା ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକ ଓ ବିଧାୟିକା, ସାଂସଦ ସମ୍ବିତ ପାତ୍ର, ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ ।