ଭୁବନେଶ୍ୱର: ରାଜ୍ୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କ ପାଇଁ ବଡ଼ ଖବର। ଅଶୋକ କୁମାର ତ୍ରିପାଠୀ କମିଟିର ସୁପାରିଶ ଉପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କମିଟି ପକ୍ଷରୁ ଦିଆଯାଇଥିବା ୧୫ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ମଞ୍ଜୁରି ମିଳିଛି। ଏହାଦ୍ୱାରା ରାଜ୍ୟର ହଜାର ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଉପକୃତ ହେବାର ଆଶା ରହିଛି।
ଏନେଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସୁପାରିଶଗୁଡ଼ିକର ସମୀକ୍ଷା କରିଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ସଂଘଗୁଡ଼ିକର ବିଭିନ୍ନ ଦାବିକୁ ନେଇ ଏହି କମିଟି ଗଠନ କରାଯାଇଥିଲା। ଅବସରପ୍ରାପ୍ତ ଆଇଏଏସ୍ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏସବୁ ଦାବିର ଅନୁଧ୍ୟାନ କରି ସରକାରଙ୍କୁ ପ୍ରସ୍ତାବ ଦେଇଥିଲା।
କେଉଁ ୧୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରି?
ସରକାରଙ୍କ ନିଷ୍ପତ୍ତି ଅନୁସାରେ, ୨୦୧୩ ସରକାରୀ ବ୍ଲକ୍ ଗ୍ରାଣ୍ଟରୁ ବଞ୍ଚିତ ହୋଇଥିବା ୧୯୪ଟି ଉଚ୍ଚ ବିଦ୍ୟାଳୟକୁ ଅନୁଦାନଭୁକ୍ତ କରାଯିବ। ସେହିପରି ସରକାରୀ ସ୍କୁଲରେ କାର୍ଯ୍ୟରତ ପାର୍ଟ ଟାଇମ୍ କଳା, ସଙ୍ଗୀତ ଓ କ୍ରୀଡ଼ା ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ବଢ଼ାଇ ୧୬ ହଜାର ଟଙ୍କା କରାଯିବ।
ଏହାସହ ୬ ବର୍ଷର କାର୍ଯ୍ୟକାଳ ପୂରଣ କରି ୨୦୨୨ରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟର TGT ଓ PET ଶିକ୍ଷକଙ୍କୁ ବକେୟା ଦରମା ପ୍ରଦାନ କରାଯିବ। ପ୍ରାଥମିକ ଶିକ୍ଷକଙ୍କ ନିୟମିତ ପଦୋନ୍ନତି ବ୍ୟବସ୍ଥା କରିବା ସହ ୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ସେହିପରି ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ୍ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି କରାଯିବ। ସରକାରୀ ବିଦ୍ୟାଳୟରେ କାର୍ଯ୍ୟରତ କ୍ଲାସିକାଲ୍ ଶିକ୍ଷକଙ୍କୁ ଟ୍ରେନ୍ଡ ଗ୍ରାଜୁଏଟ୍ (TG) ଶିକ୍ଷକଙ୍କ ଯୋଗ୍ୟତା ତାଲିକାରେ ସାମିଲ କରାଯିବ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲ୍ରେ ଶିକ୍ଷକ ନିଯୁକ୍ତି ଏବଂ ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ବେତନ ହାରରେ ଦରମା ପ୍ରଦାନ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ମାନଙ୍କୁ ଅଧିକ ଶିକ୍ଷାଗତ ଯୋଗ୍ୟତା ହାସଲ କରିବାର ସୁଯୋଗ ଦେବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଆଦର୍ଶ ବିଦ୍ୟାଳୟକୁ ନେଇ ୫ଟି ବଡ଼ ନିଷ୍ପତ୍ତି
ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ଓ କର୍ମଚାରୀଙ୍କ ସୁବିଧାକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ସମସ୍ତ ଆଦର୍ଶ ବିଦ୍ୟାଳୟର ଆବାସିକ ଛାତ୍ରାବାସ ନିର୍ମାଣ ଶେଷ କରି ତାହାକୁ କାର୍ଯ୍ୟକ୍ଷମ କରାଯିବ। ଏଥିସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ନିୟମିତ ଦରମା ପ୍ରଦାନର ବ୍ୟବସ୍ଥା କରାଯିବ।
ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ପିଲାମାନଙ୍କୁ ମଧ୍ୟ ସେହି ବିଦ୍ୟାଳୟରେ ପାଠ ପଢ଼ିବାର ସୁଯୋଗ ମିଳିବ। ଏହାସହ ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ TGT ଶିକ୍ଷକଙ୍କ ପୂର୍ବ ଚାକିରି ଅବଧିକୁ ଗଣନା କରିବା ସହ ସେମାନଙ୍କ ବେତନ ସୁରକ୍ଷା କରାଯିବ। ସବୁଠାରୁ ଆକର୍ଷଣୀୟ ପ୍ରସ୍ତାବ ହେଉଛି, ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଓ ରୋବୋଟିକ୍ସ ଲାବ୍ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଆଧୁନିକ ଜ୍ଞାନକୌଶଳ ଓ ବୈଷୟିକ ଶିକ୍ଷା ହାସଲ କରିବାର ସୁଯୋଗ ପାଇବେ।
ପେନସନ୍ ଦାବି ଉପରେ ଏବେ ନିଷ୍ପତ୍ତି ନାହିଁ
ଅନ୍ୟପଟେ ବ୍ଲକ୍ ଗ୍ରାଣ୍ଟ କର୍ମଚାରୀଙ୍କ ପେନସନ୍ ଦାବି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ତେବେ ଏହି ମାମଲା ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ଥିବାରୁ ତୁରନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଉଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପରେ ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର ହୋଇଛି।
ମୋଟାମୋଟି ଭାବେ ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ ମଞ୍ଜୁରି ମିଳିବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ଅନେକ ବର୍ଗର କର୍ମଚାରୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି।