ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ୍ ମ୍ୟାନେଜରଙ୍କ ଘରେ ସିବିଆଇ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶ୍ରୀମନ ନାରାୟଣ ମିଶ୍ରଙ୍କ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇ। ପାରାଦୀପଠାରୁ ଭୁବନେଶ୍ୱର, କୁଜଙ୍ଗ ଓ ଏରସମା ପର୍ଯ୍ୟନ୍ତ ଚାଲିଛି ଯାଞ୍ଚ।
ପାରାଦୀପ ବନ୍ଦରରେ ଡେପୁଟି ଟ୍ରାଫିକ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଶ୍ରୀମନ ନାରାୟଣ ମିଶ୍ରଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ନେଇ ପୂର୍ବରୁ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡ଼ିଛି।
ନିର୍ଦ୍ଦେଶ ଅନୁସାରେ ସିବିଆଇ ଆଜି ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ପାରାଦୀପରେ ଦୁଇଟି ସିବିଆଇ ଟିମ୍ ଚଢ଼ାଉ କରୁଥିବା ବେଳେ ବନ୍ଦରସ୍ଥିତ ସରକାରୀ କ୍ୱାର୍ଟର ଏବଂ ତାଙ୍କ ଦ୍ୱାରା ପରିଚାଳିତ କାନମାସର କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ ଚାଲିଛି।
ସେହିପରି ଭୁବନେଶ୍ୱରର ରଘୁନାଥପୁରରେ ଥିବା ତାଙ୍କ ଘରେ ମଧ୍ୟ ସିବିଆଇର ଆଉ ଏକ ଟିମ୍ ଚଢ଼ାଉ କରୁଛି। ଏଥିସହ କୁଜଙ୍ଗ ଓ ଏରସମା ତହସିଲ ଅଧୀନରେ ଥିବା ତାଙ୍କ ସମ୍ପତ୍ତିର ମଧ୍ୟ ଯାଞ୍ଚ କରାଯାଉଛି। ଏହି ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ରହିଛି।