ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା। ଓଡ଼ିଶା ଉପକୂଳ ପାଇଁ ସତର୍କତା ଜାରି ହୋଇଥିବା ବେଳେ ଆସନ୍ତା ନଭେମ୍ବର ୧୬ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ଘୂର୍ଣ୍ଣିବଳୟ। ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ନଭେମ୍ବର ୧୮ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD)।
୧୬ରେ ବାତ୍ୟା, ୧୮ରେ ନେଇପାରେ ଭୀଷଣ ରୂପ
IMDର ସଦ୍ୟତମ ସାମୁଦ୍ରିକ ପାଣିପାଗ ଆକଳନ ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଥିବା ଘନୀଭୂତ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ଅଧିକ ଶକ୍ତିଶାଳୀ ହେଉଛି। ଏହା ନଭେମ୍ବର ୧୫ ସୁଦ୍ଧା ଅବପାତ ଏବଂ ନଭେମ୍ବର ୧୬ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୮ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ଆକଳନ ରହିଛି।
ପବନର ବେଗ ବଢ଼ିବ, ସମୁଦ୍ର ହେବ ଅଶାନ୍ତ
ବାତ୍ୟା ଶକ୍ତିଶାଳୀ ହେବା ସହ ବଙ୍ଗୋପସାଗରରେ ପବନର ବେଗ ମଧ୍ୟ ବଢ଼ିବାର ଆଶଙ୍କା ରହିଛି। IMDର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୮ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ଏବଂ ଝଟକା ପବନର ବେଗ ୯୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଢେଉ ସୃଷ୍ଟି ହେବାର ଆଶଙ୍କା ରହିଛି।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ଦକ୍ଷିଣ ଓଡ଼ିଶା ଉପକୂଳରେ ନଭେମ୍ବର ୧୭ ଓ ୧୮ ତାରିଖରେ ମାଛ ଧରିବାକୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ନଭେମ୍ବର ୧୫ ସୁଦ୍ଧା ଉପକୂଳକୁ ଫେରିଆସିବାକୁ IMD ପରାମର୍ଶ ଦେଇଛି।
ସତର୍କ ରହିବେ ଉପକୂଳବର୍ତ୍ତୀ ଜିଲ୍ଲାର ଲୋକେ
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି, ଜରୁରୀକାଳୀନ ସାମଗ୍ରୀ ଓ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ଉପରେ ନଜର ରଖାଯାଉଛି। ଉପକୂଳବର୍ତ୍ତୀ ଜିଲ୍ଲାର ଲୋକଙ୍କୁ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।
କେଉଁଠି ହେବ ଲ୍ୟାଣ୍ଡଫଲ୍?
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ସମ୍ଭାବ୍ୟ ବାତ୍ୟା କେଉଁ ଦିଗକୁ ଗତି କରିବ ଏବଂ କେଉଁଠି ସ୍ଥଳଭାଗ ଛୁଇଁବ? ବର୍ତ୍ତମାନ ସୁଦ୍ଧା ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ କିମ୍ବା ଲ୍ୟାଣ୍ଡଫଲ୍ ସ୍ଥାନ ସ୍ପଷ୍ଟ ହୋଇନାହିଁ। ଆଗାମୀ ୪୮ ଘଣ୍ଟାରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ।