ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବା ମା’ ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ଖୋଲାଯାଇଛି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଦାନ ରାଶିର ଗଣତି ଚାଲିଛି ।
ଆଜି ବିଭିନ୍ନ ସାମାଜିକ ସଂଗଠନର ମହିଳାମାନେ ଗଣତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମା’ଙ୍କ ପୂଜାର୍ଚ୍ଚନା ପରେ ୫ ମାସ ବ୍ୟବଧାନରେ ଆଜି ରାଜସ୍ଵ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ୯ଟି ଦାନ ହୁଣ୍ଡି ଖୋଲାଯାଇଛି। ଏଥିରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ସହଯୋଗ କରୁଥିବା ବେଳେ ଗଣତି ଶେଷ ହେବା ପରେ ସମସ୍ତ ଅର୍ଥକୁ ଉକ୍ତ ବ୍ୟାଙ୍କରେ ପୈଠ କରାଯିବ। ଆଜିର ଏହି ଗଣତି କାର୍ଯ୍ୟରେ ପ୍ରାୟ ୨୫୦ ଜଣ ମହିଳା ଓ ପୁରୁଷ ସ୍ଵେଚ୍ଛାସେବୀ ଭାଗ ନେଇଛନ୍ତି ।
ଗତ ୫ ମାସ ପୂର୍ବେ ଦାନ ହୁଣ୍ଡି ଖୋଲାଯାଇଥିବା ବେଳେ ସେଥିରୁ ନଗଦ ୧ କୋଟି ୫ ଲକ୍ଷ ୫୨ ହଜାର ଟଙ୍କା, ୮୪୫୨ କିଲୋଗ୍ରାମ ୧୫୦ ଗ୍ରାମ ରୂପା ଓ ୩୦ ଗ୍ରାମ ସୁନା ବାହାରିଥିଲା । ଏଥି ସହିତ ୨୩ଟି ବିଦେଶୀ ଓ ଅଚଳ ନୋଟ୍ ବାହାରିଥିଲା । ସଂଗ୍ରହ ସମସ୍ତ ଅର୍ଥ ଓ ସୁନା ରୂପା ମନ୍ଦିର ପରିସରରୁ ମଝିଘରିଆଣୀ ଟ୍ରଷ୍ଟର ସ୍ୱତନ୍ତ୍ର ବସରେ ବ୍ୟାଙ୍କକୁ ସ୍ଥାନାନ୍ତର କରାଯାଇଥିଲା। ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ରାଇ ସିଂ ବିଡିକା ସୂଚନା ଦେଇଛନ୍ତି।