ରାୟଗଡ଼ା ଜିଲ୍ଲାର ପଦ୍ମପୁର ଥାନା ଅନ୍ତର୍ଗତ ଜଗମଣ୍ଡା ନିକଟରେ ସୋମବାର ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏକ ଘରୋଇ ଶିକ୍ଷାନୁଷ୍ଠାନର ବସ୍ ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍କାରେ ଜଣେ ୨୦ ବର୍ଷୀୟ ଯୁବକଙ୍କର ଘଟଣାସ୍ଥଳ ପରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜୀବନ ସହ ସଂଘର୍ଷ କରୁଛନ୍ତି।
ମୃତ ଯୁବକ ହେଲେ ଗୁଡ଼ାରୀ ଥାନା ଅନ୍ତର୍ଗତ ଡିବିରୀସିଂ ଗାଁର ଗୌତମ ଦାସ (୨୦)। ଗୁରୁତର ଆହତ ହୋଇଥିବା ଯୁବକ ହେଲେ ପଦ୍ମପୁରର ସରୋଜ କୁମାର ଶତପଥୀ (୧୯)।
ସୂଚନା ଅନୁସାରେ, ଗୌତମ ଓ ସରୋଜ କୌଣସି ବ୍ୟକ୍ତିଗତ କାମରେ ଗୁମୁଡା ଯାଇଥିଲେ। କାମ ସାରି ବାଇକ୍ରେ ପଦ୍ମପୁର ଫେରୁଥିବା ବେଳେ ଜଗମଣ୍ଡା ନିକଟରେ ସାମ୍ନା ପଟୁ ଆସୁଥିବା ଅଭ୍ୟାସ ଟେକ୍ନୋ ସ୍କୁଲର ବସ୍ ସହ ସେମାନଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ଉଭୟ ଯୁବକ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକେ ତୁରନ୍ତ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ସେଠାରେ ଡାକ୍ତର ଗୌତମଙ୍କୁ ମୃତ ଘୋଷଣା କରିଥିଲେ। ସରୋଜଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାର ଖବର ପାଇ ପଦ୍ମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଓ ବାଇକ୍କୁ ଜବତ କରିଛି। କିପରି ଏହି ଭୟଙ୍କର ଦୁର୍ଘଟଣା ଘଟିଲା, ସେନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।