ପୁରୀ: ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିଛନ୍ତି ଶ୍ରୀଜୀଉ । ସୁନା କୂଅରୁ ଆସିଥିବା ୧୦୮ ସୁବର୍ଣ୍ଣ କଳସୀ ସୁବାଷିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂରତୀ । ବଡ଼ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ସମାଗମ । ଘଣ୍ଟନାଦ, ଖୋଳ ତାଳ, ଭେରୀ ତୂରୀ, ହୁଳହୁଳି, ହରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ପ୍ରକମ୍ପିତ ଗଗନ ପବନ ।
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସକାଳ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୭ଟାରେ ଶେଷ ହୋଇଥିଲା । ବଡ଼ ଭାଇ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଏବଂ ଜଗତର ନାଥ ଜଗନ୍ନାଥ ସ୍ନାନବେଦୀକୁ ବୀଜେ କରିଥିଲେ । ଏହା ପରେ ଜଳ ବୀଜେ ଏବଂ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା । ଶିତଳାଦେବୀଙ୍କ ସମ୍ମୁଖସ୍ଥ ସ୍ୱବର୍ଣ୍ଣକୂପରୁ ଜଳ ଆସିଥିଲା । ୧୦୮ କଳସରେ ଅଷ୍ଟବନ୍ଧ, କୃଷ୍ଣ-ଅଗୁରୁ, ଉଶୀର, ଗୋରଚନା, ଦେବଦାରୁ, ମୁଥା, ହରିତାଳ, ବାହାଡ଼ା, ଆମଳକୀ, ସଞ୍ଚିଷ୍ଠା, ତାମ୍ରପର୍ଣ୍ଣୀ, ସୋମପର୍ଣ୍ଣୀ ଓ ଲୋଧା ମିଶ୍ରଣ କରାଯାଇ ଜଳକୁ ଅଭିମନ୍ତ୍ରିତ କରାଯାଇଥିଲା । ଉକ୍ତ ଜଳରେ ଚତୁର୍ଦ୍ଧମୂରତୀ ସ୍ନାନ କରିଥିଲେ । ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ଜଳରେ ଚକ୍ରବୀର ସୁଦର୍ଶନ ସ୍ନାନ କରିଥିଲେ ।ଏହା ପରେ ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ଗଜାନନ ବେଶ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରାଙ୍କୁ ଫୁଲଚୂଳ, ଚନ୍ଦ୍ରିକା ଓ ଛତ୍ରି ନାଗି କରାଯାଇ ବେଶ କରାଯାଏ । ଗୋପାଳତୀର୍ଥ ମଠଦ୍ୱାରା ପ୍ରଦତ୍ତ ଶ୍ରୀବଳଭଦ୍ରଙ୍କୁ ଗଜାନନ ବେଶ ଓ ଶୁଦର୍ଶନଙ୍କୁ ଚକ୍ର ଲାଗି କରାଯାଏ । ସନ୍ଧ୍ୟା ୭:୦୦ଟାରୁ ରାତି ୯:୩୦ ଯାଏଁ ଭକ୍ତଙ୍କ ପାଇଁ ସାହାଣମେଳା ଦର୍ଶନ ଚାଲିବ ।