ଭୁବନେଶ୍ୱର: ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD) ସୋମବାର ଆଗାମୀ ୩ ଘଣ୍ଟା ପାଇଁ ଭୁବନେଶ୍ୱର ଓ କଟକ ସମେତ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହି ସମୟ ମଧ୍ୟରେ ଘଡ଼ଘଡ଼ି, ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ପବନର ବେଗ ଘଣ୍ଟାପ୍ରତି ୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି IMD ସୂଚନା ଦେଇଛି।
ପାଣିପାଗ ବିଭାଗ ଅନୁସାରେ, ନୟାଗଡ଼, ଅନୁଗୁଳ, କେନ୍ଦୁଝର, ଗଞ୍ଜାମ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), କଟକ, ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଏହି ପାଣିପାଗ ପ୍ରଭାବ ଦେଖିବାକୁ ମିଳିପାରେ। ବିଶେଷକରି ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନ ରହିବାକୁ ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟପଟେ, IMDର ସକାଳ ବୁଲେଟିନ ଅନୁଯାୟୀ, ଜୁନ୍ ୨୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ଓ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ପାଣିପାଗର ଏହି ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷୀ, ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ IMD ପରାମର୍ଶ ଦେଇଛି। ଅନାବଶ୍ୟକ ଭାବେ ଘର ବାହାରକୁ ନ ଯିବା, ବଜ୍ରପାତ ସମୟରେ ଗଛ ତଳେ କିମ୍ବା ବିଦ୍ୟୁତ୍ ଖୁଣ୍ଟ ନିକଟରେ ନ ରହିବା ଏବଂ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଉପରେ ନଜର ରଖିବାକୁ ଅନୁରୋଧ କରାଯାଇଛି। ରାଜ୍ୟରେ ଆଗାମୀ କିଛି ଦିନ ବର୍ଷାର ପ୍ରଭାବ ଜାରି ରହିବାରୁ ପ୍ରଶାସନ ମଧ୍ୟ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନେଉଛି।