ମୟୁରଭଞ୍ଜ: ବିଦ୍ୟାଳୟରେ ଶିକ୍ଷକ ଅଭାବ ଅଭିଯୋଗ ନେଇ ଡହ ଡହ ଖରାରେ ଦୁଇ କିଲୋମିଟର ଚାଲି ଚାଲି ଯାଇ ଛାତ୍ରଛାତ୍ରୀ ଗୁହାରୀ କରିଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଉଦଳାରେ ।
ଉଦଳା ବ୍ଲକ ବଡ଼ଖମଣ ଉଚ୍ଚ ବିଦ୍ୟାଳୟରେ ଇଂରାଜୀ ଏବଂ ଗଣିତ ଶିକ୍ଷକ କେହି ନାହାନ୍ତି । ବର୍ଷେ ହେବ ଦୁଇଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ଶିକ୍ଷକ ଅଭାବ ଯୋଗୁଁ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଦଶମ ଶ୍ରେଣୀ ପରୀକ୍ଷାରେ ଗଣିତ ଏବଂ ଇଂରାଜୀ ବିଷୟରେ ପିଲାମାନେ ଆଶାତୀତ ଭଲ ପ୍ରଦର୍ଶନ କରିପାରିନଥିଲେ । ପୂର୍ବରୁ ଏହି ଦୁଇ ପଦବୀ ପୂରଣ ପାଇଁ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ ବାରମ୍ବାର ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଛନ୍ତି, ହେଲେ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ହୋଇପାରିନାହିଁ।
ଯାହା ଫଳରେ ଆଜି ପୁଣି ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକମାନେ ଅଭିଯୋଗ କରିବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି । ପ୍ରାୟ ଦୁଇ କିଲୋମିଟରରୁ ଅଧିକ ରାସ୍ତା ଛାତ୍ରଛାତ୍ରୀ ମାନେ ଚାଲି ଚାଲି ଆସି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଛନ୍ତି। ସେପଟେ ଏହା ହାଇସ୍କୁଲ ହୋଇଥିବାରୁ ଯାହା କରିବେ ଜିଲ୍ଲା ଶିକ୍ଷା ଅଧିକାରୀ କରିବେ ବୋଲି କହିଛନ୍ତି ବିଇଓ ସୁବ୍ରତ କୁମାର କିସ୍କୁ ।