ପୁରୀ: ଶ୍ରୀକ୍ଷେତ୍ର ଆଜି ପାଲଟିଛି ଭକ୍ତି, ଭାବନା ଓ ଆଧ୍ୟାତ୍ମିକତାର ମହାପୀଠ। ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ ସକାଳୁ ସକାଳୁ ବଡ଼ଦାଣ୍ଡରେ ଜମିଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ଘଣ୍ଟ, ଘଣ୍ଟା, ଶଙ୍ଖଧ୍ୱନି, ହରିବୋଲ ଓ ହୁଳହୁଳିରେ କମ୍ପି ଉଠିଥିଲା ସମଗ୍ର ଶ୍ରୀକ୍ଷେତ୍ର। ପ୍ରତ୍ୟୁଷରୁ ଆରମ୍ଭ ହୋଇଥିବା ନୀତିକାନ୍ତି ପରେ ଧାଡ଼ି ପହଣ୍ଡିରେ ଶ୍ରୀଜିଉମାନଙ୍କୁ ସ୍ନାନମଣ୍ଡପକୁ ବିଜେ କରାଯାଇଥିଲା।
ପହଣ୍ଡି ବିଜେ ବେଳେ ଚୂଳ ଓ ଟାହିୟାରେ ସୁସଜ୍ଜିତ ମହାପ୍ରଭୁଙ୍କ ଅନୁପମ ରୂପ ଭକ୍ତଙ୍କୁ ବିଭୋର କରିଥିଲା। ମଙ୍ଗଳ ଆଳତି, ମଇଲମ ଓ ଅବକାଶ ପରେ ଆରମ୍ଭ ହୋଇଥିଲା ପବିତ୍ର ସ୍ନାନନୀତି। ସୁନାକୂଅର ପବିତ୍ର ଜଳରେ ଭର୍ତ୍ତି ୧୦୮ କଳସରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ମହାସ୍ନାନ କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କୁ ୩୫ ଗରା, ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଏବଂ ସୁଦର୍ଶନଙ୍କୁ ୧୮ ଗରା ଜଳରେ ଅଭିଷେକ କରାଯାଇଥିଲା।
ମହାସ୍ନାନ ପରେ ପାରମ୍ପରିକ ରାଜକୀୟ ବେଶରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ନାନମଣ୍ଡପରେ ପହଞ୍ଚି ବିଧି ଅନୁଯାୟୀ ଛେରାପହଁରା ସମ୍ପନ୍ନ କରିଥିଲେ। ଏହାପରେ ଚାରି ଠାକୁର ଧାରଣ କରିଥିଲେ ବହୁ ପ୍ରତୀକ୍ଷିତ ଗଜାନନ ବେଶ ବା ହାତୀ ବେଶ। ହାତୀ ରୂପରେ ସଜ୍ଜିତ ମହାପ୍ରଭୁଙ୍କ ଏହି ଅଲୌକିକ ଦର୍ଶନ ଭକ୍ତମାନଙ୍କ ପାଇଁ ଥିଲା ଅପୂର୍ବ ଆଧ୍ୟାତ୍ମିକ ଅନୁଭୂତି।
ଗଜ ବେଶର ଦିବ୍ୟ ରୂପକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଅଗଣିତ ଶ୍ରଦ୍ଧାଳୁ। ଠାକୁରଙ୍କ ଏହି ଅନନ୍ୟ ବେଶ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ। ଭକ୍ତି, ପରମ୍ପରା ଓ ଆସ୍ଥାର ଏହି ଅଦ୍ଭୁତ ସମାଗମ ପୁଣିଥରେ ଶ୍ରୀଜଗନ୍ନାଥ ସଂସ୍କୃତିର ମହିମାକୁ ସାରା ବିଶ୍ୱ ସମ୍ମୁଖରେ ଉଜାଗର କରିଛି।