ଯାଜପୁର: ପ୍ରାୟ ପାଞ୍ଚ ବର୍ଷ ଧରି ସାରା ଓଡ଼ିଶାକୁ ଆନ୍ଦୋଳିତ କରିଥିବା ବହୁଚର୍ଚ୍ଚିତ ଝରାଫୁଲ ନାୟକ ହତ୍ୟାକାଣ୍ଡ ମାମଲାରେ ସୋମବାର ଆସିଛି ବହୁ ପ୍ରତୀକ୍ଷିତ ରାୟ। ଯାଜପୁର ଅତିରିକ୍ତ ଜିଲ୍ଲା ଜଜ୍ ମାମଲାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ, ପ୍ରମାଣ ନଷ୍ଟ କରିବା ଷଡ଼ଯନ୍ତ୍ରରେ ସହଯୋଗ କରିଥିବା ଅମରେଶ ରାଉତଙ୍କୁ ୫ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।
୨୦୨୧ ମସିହାରେ ଘଟିଥିବା ଏହି ହତ୍ୟାକାଣ୍ଡ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଥିଲା। ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ସେତେବେଳେ ରମାଦେବୀ ବିଶ୍ୱବିଦ୍ୟାଳୟର ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ଜାନୁଆରୀ ୨୬ରେ ଭୁବନେଶ୍ୱରରୁ ଘରକୁ ଯିବା ପାଇଁ ବସ୍ରେ ବାହାରିଥିବା ଝରାଫୁଲ ଆଉ ଘରେ ପହଞ୍ଚିପାରି ନଥିଲେ। ପରଦିନ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରୁ ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।
ତଦନ୍ତରେ ଜଣାପଡ଼ିଥିଲା ଯେ, ରାକେଶ ସ୍ୱାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁ ଥିଲେ। ଭୁବନେଶ୍ୱରରେ ତାଙ୍କୁ ହତ୍ୟା କରିବା ପରେ ସହଯୋଗୀ ଅମରେଶଙ୍କ ସହ ମିଶି ସ୍କୁଟିରେ ମୃତଦେହକୁ ଯାଜପୁରକୁ ନେଇ ଫିଙ୍ଗି ଦେଇଥିଲେ। ଘଟଣାକୁ ଲୁଚାଇବା ଓ ପୋଲିସକୁ ଭ୍ରମିତ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ମଧ୍ୟ ରଚାଯାଇଥିଲା। ସିସିଟିଭି ଫୁଟେଜ୍ ଓ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରମାଣ ଆଧାରରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଥିଲା।
ଦୀର୍ଘ ଆଇନଗତ ପ୍ରକ୍ରିୟା ପରେ ଆସିଥିବା ଏହି ରାୟକୁ ଝରାଫୁଲଙ୍କ ପରିବାର ପାଇଁ ନ୍ୟାୟର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ରାୟ ପୁଣିଥରେ ସ୍ପଷ୍ଟ କରିଛି ଯେ, ଅପରାଧ ଯେତେ ଚତୁରତାର ସହ କରାଯାଉନାହିଁ, ଶେଷରେ ଆଇନର ହାତରୁ କେହି ବର୍ତ୍ତିପାରିବେ ନାହିଁ।